ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍‌ରେ ଜିତି ନେଇଛି

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍‌ରେ ଜିତି ନେଇଛି। ଫଳରେ ୫ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳା ୨-୨ ସମାନ ସ୍ତରକୁ ଆସିଛି। ପଞ୍ଚମ ତଥା ନିର୍ଣ୍ଣାୟକ ଟ୍ବେଣ୍ଟି-୨୦ ବୁଧବାର ଖେଳାଯିବ।ରବିବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ‌ସ୍କୋର୍‌ ବୋର୍ଡରେ ରନ୍‌ ଯୋଡ଼ି ହେବା ପୂର୍ବରୁ ୱିଆନ୍‌ ମୁଲଡରଙ୍କୁ ହରାଇଥିଲା। ଏହାପରେ ଟୋନି ଡି’ଜର୍ଜି (୨୩) ଓ କନ୍ନୋର ଇଷ୍ଟରହୁଇଜେନ୍‌ (୫୭) ଦ୍ବିତୀୟ ୱିକେଟ୍‌ରେ ୮୧ ରନ୍‌‌ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ରବିନ ହେର୍ମାନ (୨୮*), ଡିଆନ୍‌ ଫୋରେଷ୍ଟର (୧୯) ଓ ଜାସନ ସ୍ମିଥ୍‌ (୧୯) ଭଲ ଖେଳିବାରୁ ଦଳ ୫ ୱିକେଟ୍‌ ହରାଇ ୧୬୪ ରନ୍‌ର ସମ୍ମାନଜନକ କରିପାରିଥିଲା।ନ୍ୟୁଜିଲାଣ୍ଡର କାଇଲ ଜାମିସନ ୨ ୱିକେଟ୍‌ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡର ଆରମ୍ଭ ଭଲ ହୋଇଥିଲେ ମଧ୍ୟ ନିୟମିତ ୱିକେଟ୍‌ ହରାଇ ୧୮.୫ ଓଭରରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳ ପକ୍ଷରୁ ଟିମ୍‌ ରବିନସନ ୩୨ ଓ ଡାନେ କ୍ଲିଭର ୨୬ ରନ୍‌ କରିଥିଲା ବେଳେ ଭ୍ରମଣକାରୀ ଦଳ ପକ୍ଷରୁ ଗେରାଲ୍ଡ କୋଏଜି ୩ ଏବଂ ଓଟ୍‌ନେଲ୍‌ ବାର୍ତମାନ, ପ୍ରିନେଲାନ ସୁବ୍ରାୟେନ୍ ଓ କେଶବ ମହାରାଜ ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକାର ୱିକେଟ୍‌ରକ୍ଷକ ଇଷ୍ଟରହୁଇଜେନ୍‌ (୫୭ ରନ୍‌, ୨ କ୍ୟାଚ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Leave a comment