ଆଜି ଖେଳାଯିବ ଦ୍ବିତୀୟ ଟ୍ବେଣ୍ଟି – ୨୦
ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଆଜି ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଉଭୟ୍ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିଲା। ଜୋଶ୍ ବଟଲରଙ୍କ ନେତୃତ୍ବାଧିନ ଇଂଲଣ୍ଡ ୨ୟ ମ୍ୟାଚକୁ ଜିତି ଶୃଙ୍ଖଳାକୁ ଫେରିବାକୁ ଉଦ୍ୟମ କରିବ। କଲକାତାରେ ଭାରତୀୟ ବୋଲରଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଉପଯୁକ୍ତ ମୁକାବିଲା କରିବାରେ ବିଫଳ ହୋଇଥିଲେ। ଦ୍ରୁତ ବୋଲର ଅର୍ଶଦୀପ୍ ସିଂହ, ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ଚମତ୍କାର ବୋଲିଂ କରିଥିଲେ। ଯାହା ଫଳରେ ଇଂଲଣ୍ଡ ୧୩୨ରନରେ ସୀମିତ ରହିଥିଲା। ହାର୍ଦିକ ପାଣ୍ଡ୍ୟା ଅର୍ଶଦୀପ୍ଙ୍କ ପାର୍ଟନର ଭାବେ ଦ୍ବିତୀୟ ଦ୍ରୁତ ବୋଲର ଦାୟିତ୍ବ ତୁଲାଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପାଣ୍ଡ୍ୟା ୪ ଓଭର ବୋଲିଂ କରି ୪୨ରନ ବିନିମୟରେ ଦୁଇଟି ୱିକେଟ ନେଇଥିଲେ। ରବି ବିଷ୍ଣୋୟିଙ୍କ ସ୍ଥାନରେ ଭାରତ ଚେନ୍ନଇରେ ଦ୍ବିତୀୟ ଦ୍ରୁତ ବୋଲର ଭାବେ ହର୍ଷିତ ରାଣା ଖେଳିବାର ଆଶା କରାଯାଉଛି। ବ୍ୟାଟିଂ କ୍ରମରେ ଭାରତ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ। ଓପନର ଅଭିଷେକ ଶର୍ମା ୩୪ଟି ବଲରୁ ୭୯ରନର ଇନିଂସ ଖେଳିଥିବାବେଳେ ସଞ୍ଜୁ ସାମସନ ୨୬ରନ କରିଥିଲେ। ଏହାବାଦ୍ ବ୍ୟାଟିଂ କ୍ରମରେ ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡି, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ରହିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ମ୍ୟାଚେର ୬ଜଣ ବ୍ୟାଟିଂ ସ୍ପେଶାଲିଷ୍ଟ ଫିଲ୍ ସଲ୍ଟ, ବେନ୍ ଡକେଟ, ଜୋଶ ବଟ୍ଲର, ହ୍ୟାରି ବ୍ରୁକ, ଲିୟନ ଲିଭିଙ୍ଗଷ୍ଟୋନ,ଜ୍ୟାକବ ବିଥେଲଙ୍କୁ ଖେଳାଇଥିଲେ ମଧ୍ୟ ଦଳ ବ୍ୟାଟିଂରେ ବିଫଳ ହୋଇଥିଲା। ବଟ୍ଲରଙ୍କୁ ଛାଡ଼ି ଅନ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କୁ ପଢିବାରେ ବିଫଳ ହୋଇଥିଲେ। ବଟ୍ଲର ୮୬ରନର ଇନିଂସ ଖେଳିଥିଲେ। ଦଳ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ନେଇ ଆଶା କରାଯାଉନାହିଁ। ବୋଲିଂରେ ଜୋଫ୍ରା ଆର୍ଚରଙ୍କୁ ଛାଡ଼ି ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ଗୁସ୍ ଆର୍ଟକିନସନ, ମାର୍କ ଉଡ୍, ଆଦିଲ ରସିଦ ଓ ଜିମ୍ମି ଓଭରଟନ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ଦଳ ଚେନ୍ନଇରେ ବ୍ୟାଟିଂ ଓ ବୋଲିଂ କ୍ରମକୁ ସୁଧାରିବା ସହ ଭଲ ପ୍ରଦର୍ଶନ ନେଇ ନିଶ୍ଚିତ ଉଦ୍ୟମ କରିବ। ଚେନ୍ନଇରେ କାକର ଅନୁଭୂତ ହେଉଥିବାରୁ ଟସ୍ ଗୁରୁତ୍ବପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।