ଆଇପିଏଲ୍‌ର ୧୩ତମ ମ୍ୟାଚ୍‌: ରାଜସ୍ଥାନ ରୟାଲ୍ସ ୨୭ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି

ଚଳିତ ଆଇପିଏଲ୍‌ର ୧୩ତମ ମ୍ୟାଚ୍‌ରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ୨୭ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୧୫୧ ରନ୍‌ର ବଡ଼ ବିଜୟ ଲକ୍ଷ୍ୟର ଚାପରେ ଚାପି ହୋଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୩ ଓଭରରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ମଧ୍ୟ ଲଗାତାର ୱିକେଟ୍‌ ହରାଇ ଦଳ ୯ ୱିକେଟ୍‌ରେ ୧୨୩ ରନ୍‌ କରିବାକୁ ସକ୍ଷମ ‌ହୋଇଥିଲା। ସେର୍ଫାନ୍‌ ରଦରଫୋର୍ଡ ୨୫, ନମନ ଧୀର ୨୫ ଓ ତିଳକ ବର୍ମା ୧୪ କେବଳ ଦୁଇଅଙ୍କ ଛୁଇଁ ପାରିଥିଲେ। ବର୍ଷା ଯୋଗୁଁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହେବାରୁ ୧୧ ଓଭରିଆ କରାଯାଇଥିଲା। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ଘରୋଇ ଦଳ ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ ପାଇଥିବା ରାଜସ୍ଥାନ ରୟାଲ୍ସକୁ ଦୁଇ ଓପନର୍‌ ଯଶସ୍ବୀ ଜୟସ୍ବାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୀପକ ଚହରଙ୍କ ପ୍ରଥମ ଓଭରରୁ ଜୟସ୍ବାଲ ୨୨ ରନ୍‌ ଆଦୟ କରି ନେଇଥିଲେ। ଦ୍ବିତୀୟ ଓଭର ଯଶ୍‌ପ୍ରୀତ ବୁମ୍‌ରା ପକାଇଥିଲେ। ୧୫ ବର୍ଷୀୟ ବ୍ୟାଟର୍‌ ସୂର୍ଯ୍ୟବଂଶୀ ତାଙ୍କୁ ଛକା ମାରି ସ୍ବାଗତ କରିଥିଲେ। ଏହି ଓଭରରୁ ୧୪ ରନ୍‌ ସଂଗ୍ରହ ହୋଇଥିଲା ପର ଓଭରରେ ଟ୍ରେଣ୍ଟ୍‌ ବୋଲ୍ଟ ୨୨ ରନ୍‌ ବ୍ୟୟ କରିବାରୁ ୩.୨ ପାୱାର ପ୍ଲେରେ ଆର୍‌ଆର୍‌ ବିନା କ୍ଷତିରେ ୫୯ ରନ୍‌ ଯୋଡ଼ି ନେଇଥିଲା। ପଞ୍ଚମ ଓଭରର ଶେଷ ବଲ୍‌ରେ ସୂର୍ଯ୍ୟବଂଶୀ (୩୯, ୧୪ ବଲ୍‌, ୧ ଚୌକା, ୫ ଛକା)ଙ୍କୁ ଶାର୍ଦୁଳ ଠାକୁର ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଧ୍ରୁବ ଜୁରେଲ (୨) ସଅଳ ଆଉଟ୍‌ ହୋଇଥିଲା ବେଳେ ଅଧିନାୟକ ରିୟାନ ପରାଗ (୧୦ ବଲ୍‌ରୁ ୨୦) ବଡ଼ ସ୍କୋର୍‌ କରିବା ପୂର୍ବରୁ ପ୍ୟାଭିଲିୟନ୍‌ ଫେରିଥିଲେ। ଉଭୟଙ୍କୁ ଆଲ୍ଲା ଗଜନ୍‌ଫର୍‌ ଆଉଟ୍‌ କରିଥିଲେ। ଗୋଟିଏ ପଟେ ୱିକେଟ୍‌ ଖସୁଥିଲା ବେଳେ ଜୟସ୍ବାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖି ୩୨ ବଲ୍‌ରୁ ୧୦ ଚୌକା, ୪ ଛକା ସହାୟତାରେ ଅପରାଜିତ ୭୭* ରନ୍‌ କରି ଦଳୀୟ ସ୍କୋର୍‌ ୧୧ ଓଭରରେ ୧୫୦/୩ରେ ପହଞ୍ଚାଇଥିଲେ।

Leave a comment