ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌: ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍‌ରେ ହରାଇ‌ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଚଳିତ ଆଇପିଏଲ୍‌ର ଅଷ୍ଟମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍‌ରେ ହରାଇ‌ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏଥି ସହ ଆର୍‌ସିବି ୨ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛି। ଚେନ୍ନାଇ ସୁପର୍ କିଙ୍ଗ୍ସ ସମ୍ମୁଖରେ ୧୯୭ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଘରୋଇ ଦଳ ଲଢ଼ି ପାରି ନଥିଲା। ଦ୍ବିତୀୟ ଓଭରରେ ଜୋସ ହାଜେଲଉଡ୍‌ ଏବଂ ୧୩ତମ ଓଭରରେ ୟଶ ଦୟାଲ ଦୁଇଟି ଲେଖାଏଁ ପ୍ରମୁଖ ୱିକେଟ୍ ବାହାର କରି ସିଏସ୍‌କେ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରାଚିନ ରବୀନ୍ଦ୍ର (୩୧ ବଲରୁ ୪୧ ରନ୍) ଏବଂ ଇମ୍ପାକ୍ଟ ଖେଳାଳି ଶିବମ ଦୁବେ (୧୫ ବଲ୍‌ରୁ ୧୯ ରନ୍) କିଛିଟା ସଂଗ୍ରାମ କରିଥିଲେ। ୯୯/୭ ସ୍ଥିତି ପରେ ଏକାଠି ‌ହୋଇଥିବା ଦୁଇ ଭାରତୀୟ ତାରକା ରବୀନ୍ଦ୍ର ଜାଡ଼େଜା (୧୯ ବଲ୍‌ରୁ ୨୫ ରନ୍) ଓ ମହେନ୍ଦ୍ର ସିଂହ ଧୋନି (୧୬ ବଲ୍‌ରୁ ୩୦* ରନ୍) କେବଳ ସମ୍ମାନ ପାଇଁ ଖେଳିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଆର୍‌ସିବି ପାଇଁ ଏହାର ପ୍ରଥମ ୭ ଜଣ ବ୍ୟାଟର୍ ଭଲ ଆରମ୍ଭ କରିବା ସହ ଅନ୍ୟୂନ ଗୋଟିଏ ଲେଖାଏଁ ଛକା ମାରିଥିଲେ। କିନ୍ତୁ ଅଧିନାୟକ ରଜତ ପଟିଦାର (୩୨ ବଲ୍‌ରୁ ୫୧ ରନ୍)ଙ୍କ ଛଡ଼ା କେହି ଅର୍ଦ୍ଧଶତକ ପୂର୍ଣ୍ଣ କରିପାରି ନଥିଲେ। ବିରାଟ କୋହଲି ସଂଘର୍ଷ କରି ୩୧ ରନ୍ କରିଥିଲେ ମଧ୍ୟ ୩୦ ବଲ୍‌ ଖେଳିଥିଲେ। ତାଙ୍କ ସାଥୀ ଓପନର୍ ଫିଲ୍ ସଲ୍ଟ (୧୬ ବଲ୍‌ରୁ ୩୨ ରନ୍),‌ ଦେବଦତ୍ତ ପଡ଼ିକଲ (୧୪ ବଲ୍‌ରୁ ୨୭ ରନ୍) ଏବଂ ଶେଷ ଓଭରରେ ୩ ଛକା ମାରିଥିବା ଟିମ୍ ଡେଭିଡ୍‌ (୮ ବଲ୍‌ରୁ ୨୨* ରନ୍)ଙ୍କ ପାଳି କାରଣରୁ ଆର୍‌ସିବି ୧୯୬ ରନ୍‌ର ଲଢ଼ୁଆ ‌ସ୍କୋର୍‌ ଛିଡ଼ା କରିଥିଲା। ଆଫଗାନିସ୍ତାନ୍ ସ୍ପିନର୍ ନୂର ଅହମ୍ମଦ ୩ ୱିକେଟ୍‌ ସଫଳତା ସହ ଶାର୍ଦୁଳ ଠାକୁର (୬ ୱିକେଟ)ଙ୍କଠାରୁ ପର୍ପଲ୍ କ୍ୟାପ୍ ଛଡ଼ାଇ ଆଣିଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୯୬/୭ (ରଜତ ପଟିଦାର-୫୧, ଫିଲ୍ ସଲ୍ଟ-୩୨, ବିରାଟ କୋହଲି-୩୧, ଦେବଦତ୍ତ ପଡିକଲ-୨୭, ଟିମ୍ ଡେଭିଡ୍‌-୨୨*, ନୂର ଅହମ୍ମଦ-୩/୩୬, ମଥିଶା ପଥିରଣା-୨/୩୬, ରବିଚନ୍ଦ୍ରନ ଅଶ୍ବିନ-୧/୨୨, ଖଲିଲ୍ ଅହମ୍ମଦ-୧/୨୮)। ‌ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୪୬/୮ (ରାଚିନ ରବୀନ୍ଦ୍ର-୪୧, ରବୀନ୍ଦ୍ର ଜାଡ଼େଜା-୨୫, ମହେନ୍ଦ୍ର ସିଂହ‌ ଧୋନି-୩୦*, ଜୋସ୍ ହାଜେଲଉଡ୍‌-୩/୨୧, ୟଶ ଦୟାଲ-୨/୧୮, ଲିଅମ୍ ଲିଭିଙ୍ଗଷ୍ଟୋନ୍‌-୨/୨୮, ଭୁବନେଶ୍ବର କୁମାର-୧/୨୦)।

Leave a comment