ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଇତିହାସ ରଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରୀଡାରେ କୃତ୍ବିତ୍ବ ହାସଲ କରିଥିବା ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ ଖେଳାଳିମାନଙ୍କୁ ନିଜ ବାସଭବନରେ ସ୍ବାଗତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆଜି ସରକାର ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ ଆରମ୍ଭ କରୁଥିବା ବେଳେ ଦେଶବାସୀ ଏହାକୁ ଗ୍ରହଣ କରି ତ୍ରିରଙ୍ଗା ଘରେ ଉଡାଉଛନ୍ତି ।

ଇଂଲଣ୍ଡ୍‌ର ବର୍ମିଙ୍ଗ୍‌ହାମ୍‌ରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସମୁଦାୟ ୬୧ଟି ପଦକ ହାସଲ କରି ଫେରିଥିବା ଭାରତୀୟ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ରାଜ୍ୟ କ୍ରୀଡ଼ାମନ୍ତ୍ରୀ ନୀତୀଶ ପ୍ରମାଣିକ ମଧ୍ୟ ଉପସ୍ଥିତ ଥିଲେ।

୨୨ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୨୩ଟି କାଂସ୍ୟ ଜିତିଥିବା ଖେଳାଳୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଆୟୋଜିତ ୧୬ ପ୍ରକାରର ଖେଳରେ ପ୍ରାୟ ୨୦୦ ଭାରତୀୟ ଖେଳାଳି ଅଂଶ ଗ୍ରହଣ କରିଥିଲେ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର କୃତିତ୍ବ ପାଳନ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁକ୍ରେନ୍‌ରେ ଆମେ ତ୍ରିରଙ୍ଗାର କ୍ଷମତା ଦେଖିଛନ୍ତି। ଯୁଦ୍ଧ କ୍ଷେତ୍ରରେ ତ୍ରିରଙ୍ଗା କେବଳ ଭାରତୀୟମାନଙ୍କୁ ନୁହେଁ, ଅନ୍ୟ ଦେଶର ନାଗରିକମାନଙ୍କୁ ମଧ୍ୟ ସୁରକ୍ଷା ଦେଇଛି।