ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍

ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଓ ଆରିଭା ‌ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବାରବାଟୀ ଷ୍ଟାଡିୟମ‌ରେ ଅନୁଷ୍ଠିତ ହେବ। ବୁଧବାର ଅପରାହ୍‌ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍‌ଘାଟନୀ ସମାରୋହ ହେବ। ଏଥିରେ ବଲିଉଡ୍ ଷ୍ଟାର୍‌ଙ୍କ ସମେତ ଋତୁରାଜ ମହାନ୍ତି, ନକାସ୍ ଅଜିଜ୍, ଚିତ୍ରାଙ୍ଗଦା ସିଂହ ପ୍ରମୁଖଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓପିଟିଏଲ୍‌ ଟ୍ରଫି ଉନ୍ମୋଚନ କରିବେ। ଏହି ପ୍ରତିଯୋଗିତାରେ ୬ଟି ଦଳ ରହିଥିବା ବେଳେ ମୋଟ ୧୮ଟି ମ୍ୟାଚ୍‌ ଖେଳାଯିବ। ବ୍ରାଣ୍ଡ ଆମ୍ବାସାଡାର ଭାବେ ଇର୍ଫାନ ପଠାନ ଓ ଦେବାଶିଷ ମହାନ୍ତି ଚୟନ ହୋଇଛନ୍ତି। ବିଜେତା ଦଳକୁ ୫୦ଲକ୍ଷ ଓ ଉପବିଜେତାକୁ ୨୫ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିବ।ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୧୦ହଜାର, ଲିଗ୍‌ର ଶ୍ରେଷ୍ଠ ଖେଳାଳିଙ୍କୁ ୧ଲକ୍ଷ ଟଙ୍କା, ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ଓ ବୋଲରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଓସିଏ ସଂପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାର୍‌ ସ୍ପୋର୍ଟ୍ସ ଖେଲ୍‌ ଓ ଫ୍ୟାନ୍‌କୋଡ୍‌ରେ ଏହି ପ୍ରତିଯୋଗିତାର ସିଧା ପ୍ରସାରଣ କରାଯିବ। କ୍ରିକେଟ୍‌ପ୍ରେମୀ ମାଗଣାରେ ଗ୍ୟାଲେରି ନଂ-୧, ୩ ଓ ୫ ବସି ଖେଳ ଉପଭୋଗ କରିପାରିବେ। ଏଥି ପାଇଁ ସେମାନେ ଟିକେଟ୍ ଜେନିରୁ ଟିକଟ ସଂଗ୍ରହ କରିବାକୁ ପଡ଼ିବ। ସାମ୍ବାଦିକ ସମ୍ମିଳନୀରେ ଓସିଏ ସିଇଓ ସୁବ୍ରତ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଏବଂ ଆରିଭା ସ୍ପୋର୍ଟ୍ସ ଅପରେସନ୍ସ ମୁଖ୍ୟ ସଲମାନ ଖାନ୍‌ ଉପସ୍ଥିତ ଥିଲେ।

Leave a comment