ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ

ନୂଆ ବର୍ଷରେ ବିଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଛକା ମାରି ମ୍ୟାଚ୍ ଜିତାଇଲେ କେଏଲ୍ ରାହୁଲ। ରବିବାର ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଥିବା ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ ହୋଇଛି। ୪୯ ଓଭରର ଶେଷ ବଲ୍‌ରେ କେଏଲ୍ ରାହୁଲ ଛକ୍କା ମାରି ମ୍ୟାଚ୍ ଜିତାଇଛନ୍ତି।
ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୦ ରନ୍ କରିଥିଲା। ଜବାବରେ ଭାରତ ହାତରେ ୪ ୱିକେଟ୍ ଥାଇ ୪୯ ଓଭରରେ ୩୦୬ ରନ୍ କରି ମ୍ୟାଚ୍ ଜିତି ନେଇଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ୦-୧ରେ ଆଗୁଆ ରହିଛି। ଭାରତୀୟ ଦଳ ପକ୍ଷରୁ କୋହଲି ୯୩ ରନ, ଗିଲ ୫୬ ରନ ଏବଂ ଶ୍ରେୟସ ଆୟର ୪୯ ରନ କରି ଦଳକୁ ବିଜୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।​​​​​​​

ନ୍ୟୁଜିଲାଣ୍ଡର ୩୦୧ ରନ ଟାର୍ଗେଟ୍‌କୁ ପିଛା କରୁଥିବା ଟିମ୍ ଇଣ୍ଡିଆ ଦୃଢ଼ ବ୍ୟାଟିଂ ଆରମ୍ଭ କରିଥିଲା। ରୋହିତ ଏବଂ ଗିଲ ଭଲ ଆରମ୍ଭ ଦେଇଥିଲେ। ରୋହିତ ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ୯ ଓଭରରେ ଦଳୀୟ ସ୍କୋର ୩୯ ବେଳେ ରୋହିତ ଶର୍ମାଙ୍କ ୱିକେଟ୍ ଯାଇଥିଲା। ରୋହିତ ୨୬ ରନ କରି ପାଭିଲିଅନ ଫେରିଥିଲେ। ଯେଉଁଥିରେ ସେ ଦୁଇଟି ଚମତ୍କାର ଛକା ଏବଂ ତିନୋଟି ଚୌକା ମାରିଥିଲେ।

ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା। ଆଜିର ମ୍ୟାଚ୍‌ରେ କୋହଲି ମଧ୍ୟ ତାଙ୍କର ୨୮,୦୦୦ ଆନ୍ତର୍ଜାତୀୟ ରନ ପୂରଣ କରିଥିଲେ। ଗିଲ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୨୭ ତମ ଓଭରରେ କ୍ୟାପ୍ଟେନ ଗିଲ୍ ଆଉଟ୍ ହୋଇଥିଲେ। ଟିମ୍ ପାଇଁ ସେ ୫୬ ରନର ଯୋଗଦାନ ଦେଇଥିଲେ।

ଏହାପରେ ଶ୍ରେୟସ ଆୟର ଆସି ବିରାଟ କୋହଲିଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ମିଶି ୭୭ ରନର ଭାଗୀଦାରି କରିଥିଲେ। କିନ୍ତୁ କୋହଲି ତାଙ୍କ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ୯୩ ରନ ଆଉଟ୍ ହୋଇଥଲେ। ଫଳରେ ୪୦ତମ ଓଭରରେ ଭାରତ ତୃତୀୟ ୱିକେଟ୍ ହରାଇଥିଲା। କୋହଲି ତାଙ୍କ ଇନିଂସରେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜା ମାତ୍ର ୪ ରନ୍‌ର ଯୋଗଦାନ ଦେଇ ଖୁବ୍‌ଶୀଘ୍ର ଆଉଟ୍ ଥିଲେ।

ତେବେ ପରବର୍ତ୍ତୀ ଓଭରରେ ଶ୍ରେୟସ ଆୟର ୪୯ ରନ କରି ଆଉଟ ହେବା ପରେ ଭାରତ ଉପରେ ଚାପ ବଢ଼ିଯାଇଥିଲା। ଏହି ସମୟରେ ନ୍ୟୁଜିଲାଣ୍ଡ ପକ୍ଷ ମଜଭୁତ ସ୍ଥିତିକୁ ଫେରି ଆସିଥିଲା। କିନ୍ତୁ ହର୍ଷିତ ରାଣା ଦ୍ରୁତ ଗତିରେ ସ୍କୋର ବୋର୍ଡକୁ ଆଗକୁ ନେବାକୁ ଚେଷ୍ଟା କରି ଚମତ୍କାର ୨୯ ରନର ଇନିଂସ ଖେଳିଥିଲେ। ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ କମ୍‌ ବ୍ୟାକ୍ କରିଥିଲା।

ହର୍ଷିତଙ୍କ ୱିକେଟ ପଡ଼ିବା ପରେ ଭାରତକୁ ମ୍ୟାଚ୍‌ ଜିତିବାକୁ ୨୨ ବଲରୁ ୨୨ ରନ ଆବଶ୍ୟକ ଥିଲା। କେଏଲ ରାହୁଲ ଏବଂ ଆହତ ୱାଶିଂଟନ ସୁନ୍ଦର ବ୍ୟାଟିଂ କରି ୪୯ ଓଭରରେ ଭାରତକୁ ବିଜୟୀ କରାଇଥିଲେ। ରାହୁଲ ୪୯ ଓଭରର ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍ ଜିତାଇଥିଲେ।

Leave a comment