କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍‌ଡୋର୍‌ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ,ଓଡ଼ିଶାକୁ ୧୪ ପଦକ

କଳିଙ୍ଗ ଷ୍ଟାଡିୟମ୍‌ଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍‌ଡୋର୍‌ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶା ଖେଳାଳି ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୮ ପଦକ ଜିତିଛନ୍ତି। ଫଳରେ ଏହି ଦୁଇଦିନିଆ ପ୍ରତିଯୋଗିତାରେ ଓଡ଼ିଶା ୧୪ (୪ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୨ କାଂସ୍ୟ) ପଦକ ସହ ଅଭିଯାନ ଶେଷ କରିଛି। ବୁଧବାର ସ୍ବର୍ଣ୍ଣ ପଦକ ଦ୍ବୟ ସ୍ବାଧୀନ କୁମାର ମାଝୀ ଓ ଦୋଳମଣି ଚିରଗୁନ ଜିତିଥିଲେ। ପୁରୁଷ ହାଇ ଜମ୍ପ୍‌ରେ ସ୍ବାଧୀନ କୁମାର ମାଝୀ ୨.୮୩ ମିଟର ଡ଼େଇଁ ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ ମହାରାଷ୍ଟ୍ରର ସର୍ବେଶ କୁଶାରେ ଓ ଧାଇରିସିଲ ଧନାଜୀ ସମାନ ୨.୧୫ ମିଟର ଡେଇଁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।

ଓଡ଼ିଶାକୁ ୧୪ ପଦକ ଗୁରିନ୍ଦର, ସାଲୋନିଙ୍କ ରେକର୍ଡ

ଦୋଳମଣି ୨୦ ବର୍ଷରୁ କମ୍‌ ୩୦୦୦ ମିଟର ଦୌଡ଼କୁ ୮ ମିନିଟ୍‌ ୩୯.୧୩ ସେକେଣ୍ଡ୍‌ରେ ଅତିକ୍ରମ କରି ସ୍ବର୍ଣ୍ଣ ଜିତିଥିଲେ। କେରଳର ବିଟୁ ଯୋଶେଫ (୮:୪୦.୩୨) ରୌପ୍ୟ ଓ ଉତ୍ତରପ୍ରଦେଶର ଅଜୟ (୮:୪୧.୦୨) କାଂସ୍ୟ ଜିତିଥିଲେ। ରୌପ୍ୟ ପଦକ ଜିତିଥିଲେ ଲାଲୁ ପ୍ରସାଦ ଭୋଇ, ସୁଖୀ ବାସ୍କେ, ଅର୍ପିତା ପ୍ରିୟଦର୍ଶିନୀ ଓ ବାପି ହାଁସ୍‌ଦା। ପୁରୁଷ ୬୦ ମିଟର ଦୌଡ଼ ଫାଇନାଲ୍‌ରେ ଲାଲୁ ୬.୬୫ ମିଟର ସେକେଣ୍ଡରେ ରେସ୍‌ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। ରିଲାଏନ୍ସରୁ ପ୍ରତିନିଧିତ୍ବ କରୁଥିବା ପଞ୍ଜାବ ସ୍ପ୍ରିଣ୍ଟର ଗୁରିନ୍ଦର ସିଂହ (୬.୬୦ ସେକେଣ୍ଡ) ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲେ। ହରିୟାଣାର ନୁଜରତ (୬.୭୧) ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଛତିଶଗଡ଼ର ଅନିମେଷ କୁଜୁର ଫାଇନାଲ୍‌ରେ ଭୁଲ୍‌ ଆରମ୍ଭ କରି ଅଯୋଗ୍ୟ ଘୋଷିତ ହୋଇଥିଲେ। ଦୁଇ ଜଣଙ୍କୁ ନେଇ ଖେଳାଯାଇଥିବା ମହିଳା ୪୦୦ ମିଟର ଦୌଡ଼ରେ ଓଡ଼ିଶାର ସୁଖୀ ବାସ୍କେ (୫୫.୬୭ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଉତ୍ତରପ୍ରଦେଶର କୁମାରୀ ସାଲୋନି ନାଗର ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିଲେ।

ସେହିଭଳି ୨୦ ବର୍ଷରୁ କମ୍‌ ମହିଳା ୪୦୦ ମିଟର ଦୌଡ଼ରେ ଅର୍ପିତା (୧ ମିନିଟ୍‌ ୦୦.୪୮ ସେକେଣ୍ଡ) ପ୍ରଥମ ଓ ତାମିଲନାଡ଼ୁର ସାଇ ଚିନ୍ତନ ସେନ୍ଥିଲ (୫୯.୯୬ ସେକେଣ୍ଡ) ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦ ବର୍ଷରୁ କମ୍‌ ପୁରୁଷ ୪୦୦ ମିଟର ଦୌଡ଼ରେ ବାପି ହାଁସ୍‌ଦା (୪୯.୨୭) ରୌପ୍ୟ ପାଇଥିଲା ବେଳେ  ଉତ୍ତର ପ୍ରଦେଶର ଉମେଶ ସାହାଣୀ (୪୯.୧୪) ସ୍ବର୍ଣ୍ଣ ଓ ମହାରାଷ୍ଟ୍ରର ପ୍ରଦୀପ ମାନେ (୫୧.୬୬) କାଂସ୍ୟ ଜିତିଥିଲେ। ପୁରୁଷ ଟ୍ରିପଲ୍‌ ଜମ୍ପରେ ଓଡ଼ିଶାର ନରେଶ ରୋହିଦାସ (୧୩.୯୨ ମିଟର) ଓ ୪୦୦ ମିଟର ଦୌଡ଼ରେ ଓଡ଼ିଶାର ଆର୍ଯ୍ୟନ ‌ଏକ୍କା (୪୯.୮୬ ସେକେଣ୍ଡ) କାଂସ୍ୟ ପଦକ ଜିତିଥିଲେ।

Leave a comment