ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ ଭାରତ
ଭାରତ ୨୦୨୬ରେ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ୍ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ। ଟ୍ବେଣ୍ଟି୨୦ ବିଶ୍ବକପ୍ ମାସକରୁ କମ୍ ସମୟ ଥିବା ବେଳେ ଉଭୟ ଦଳ ଦିନିକିଆ ଶୃଙ୍ଖଳାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି। ଭାରତର ଯଶପ୍ରୀତ ବୁମ୍ରା ଓ ହାର୍ଦିକ ପାଣ୍ଡ୍ୟା ବିଶ୍ରାମ ନେଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ଦିନିକିଆ ଦଳରେ ଅର୍ଦ୍ଧାଧିକ ନିୟମିତ ଖେଳାଳି ନାହାନ୍ତି। ମିଚେଲ ସାଣ୍ଟ୍ନର, ରଚିନ ରବୀନ୍ଦ୍ର, ଜାକବ୍ ଡଫି, ମ୍ୟାଟ୍ ହେନ୍ରି, ଟମ୍ ଲାଥାମ୍, ୱିଲ୍ ଓ’ରୌର୍କେ, ନାଥାନ୍ ସ୍ମିଥ୍, ମାର୍କ ଚାପ୍ମ୍ୟାନ ନାହାନ୍ତି। ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ମାଇକେଲ ବ୍ରେସ୍ୱେଲ ନ୍ୟୁଜିଲାଣ୍ଡର ନେତୃତ୍ବ ନେଉଛନ୍ତି। ବେକ ଆଘାତରୁ ସୁସ୍ଥହେବା ପରେ ଶୁଭମନ ଗିଲ୍ ଭାରତର ନେତୃତ୍ବ ନେବେ। ଦିନିକିଆ ଶୃଙ୍ଖଳା ପରେ ପାଞ୍ଚ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଉପରେ ସମସ୍ତଙ୍କ ନଜର।
ଫେବୃଆରୀ ୭ରୁ ଭାରତ-ଶ୍ରୀଲଙ୍କାରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଆରମ୍ଭ ହେଉଛି। ଏହି ଶୃଙ୍ଖଳାରେ ଉଭୟ ଦଳର ଶ୍ରେଷ୍ଠ ଖେଳାଳି ଓହ୍ଲାଇବେ। ଅଦ୍ୟାବଧି ଭାରତରେ ଦିନିକିଆ ଶୃଙ୍ଖଳା ଜିତିନାହିଁ ନ୍ୟୁଜିଲାଣ୍ଡ। ଦିନିକିଆ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ଗୁରୁତ୍ବ ଦେବା ପରି ଲାଗୁନାହିଁ। ଏହାର ୧୫-ଜଣିଆ ଦଳର ଆଠ ଜଣ ଭାରତରେ ଖେଳିନାହାନ୍ତି। ଦୁଇ ଜଣ ଆନ୍ତର୍ଜାତିକ ପଦାର୍ପଣ କରିନାହାନ୍ତି। ତେବେ ନିକଟ ଅତୀତରେ ନ୍ୟୁଜିଲାଣ୍ଡର ଦିନିକିଆ ରେକର୍ଡ ଭଲ। ୨୦୨୫ରେ ନ୍ୟୁଜିଲାଣ୍ଡ ୧୭ଟି ଦିନିକିଆ ଖେଳି ମାତ୍ର ୩ଟି ହାରିଛି। ପୁଣି ଏହା କ୍ରମାଗତ ୯ଟି ଦିନିକିଆ ଜିତିଛି। ଭାରତର ବ୍ୟାଟିଂ ଲାଇନ୍ ବେଶ୍ ଶକ୍ତିଶାଳୀ ଅଛି। ଶୁଭମନ ଗିଲ୍ ଓପନ୍ କରିବାକୁ ଥିବା ବେଳେ ଦୁଇ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଭଲ ଫର୍ମରେ ଅଛନ୍ତି। ଦୀର୍ଘ ଦିନ ପରେ ଫେରିଥିବା ଶ୍ରେୟସ ଆୟର ଦଳର ଉପଅଧିନାୟକ ହୋଇଛନ୍ତି। ସୁସ୍ଥହେବା ପରେ ଫେରିଥିବା ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ଉପରେ ନଜର ରହିବ।
ଭାରତୀୟ ମଧ୍ୟକ୍ରମରେ ରୋହିତ ଶର୍ମା, ଶ୍ରେୟସ ଆୟର, କେ.ଏଲ୍. ରାହୁଲ ରହିଛନ୍ତି। ଦୁଇ ଅଲ୍ରାଉଣ୍ଡର ଭାବେ ୱାଶିଂଟନ ସୁନ୍ଦର ଓ ରବୀନ୍ଦ୍ର ଜାଡ଼େଜା ଖେଳିପାରନ୍ତି। ବିଶେଷଜ୍ଞ ସ୍ପିନର ସ୍ଥାନ କୁଲଦୀପ ଯାଦବଙ୍କୁ ମିଳିବ। ତିନି ପେସ୍ ବୋଲର ହେଲେ ହର୍ଷିତ ରାଣା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ୍। ନ୍ୟୁଜିଲାଣ୍ଡ ବ୍ୟାଟିଂରେ ଚାରି ଜଣାଶୁଣା ନାମ ହେଲେ ଡେଭନ୍ କନ୍ୱେ, ୱିଲ୍ ୟଙ୍ଗ୍, ଡ୍ୟାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ ଓ ହେନ୍ରି ନିକୋଲ୍ସ।
ମାତ୍ର ୩ଟି ଦିନକିଆ ଖେଳିଥିବା ନିକ୍ କେଲି ଓପନ୍ କରିପାରନ୍ତି। ୱିକେଟ୍ ରକ୍ଷକ ଭାବେ ମିଚେଲ ହେ’ ଖେଳିବେ। ନ୍ୟୁଜିଲାଣ୍ଡର ୩ ପେସ୍ ବୋଲର ହେଲେ ଜ୍ୟାକ୍ ଫୋକ୍ସ, କାଏଲ୍ ଜେମିସନ୍ ଓ ମାଇକେଲ ରେ’। ଭାରତୀୟ ବଂଶଜ ଲେଗ୍ସ୍ପିନର ଆଦିତ୍ୟ ଅଶୋକ ଖେଳିପାରନ୍ତି। କାକରର ପ୍ରଭାବ ଦେଖି ଉଭୟ ଦଳ ଟସ୍ ଜିତି ଫିଲ୍ଡିଂ କରିପାରନ୍ତି।