ଜୟସ୍ବାଲଙ୍କ ଦମଦାର ଶତକ ,୨ ଓ୍ବିକେଟ ହରାଇ ୩୧୮ ରନ୍ ସଂଗ୍ରହ

ଯଶସ୍ବୀ ଜୟସ୍ବାଲଙ୍କ ଆଉ ଏକ ଯଶସ୍ବୀ ପାଳି ବଳରେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ବି ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ଜୟସ୍ବାଲଙ୍କ ସପ୍ତମ ଟେଷ୍ଟ୍ ଶତକ (୧୭୩*) ଏବଂ ସାଇ ସୁଦର୍ଶନଙ୍କ ଶ୍ରେଷ୍ଠ ଟେଷ୍ଟ୍ ପାଳି (୮୭) ସହାୟତାରେ ଭାରତ ପ୍ରଥମ ଦିନରେ ୨ ୱିକେଟ୍ ବିନିମୟରେ ୩୧୮ ରନ୍ ସଂଗ୍ରହ କରିଛି। ୨-୦ରେ ଶୃଙ୍ଖଳା ମୂଳପୋଛ ପାଇଁ ମୂଳଦୁଆ ବି ପକାଇ ଦେଇଛି।
ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଅହମଦାବାଦ ବିଜୟର ଆତ୍ମବିଶ୍ବାସ ସତ୍ତ୍ବେ ସତର୍କତାର ସହ ଖେଳିଥିଲା। କେଏଲ୍ ରାହୁଲ୍‌ ଏବଂ ଯଶସ୍ବୀ ଜୟସ୍ବାଲ ପ୍ରଥମ ୱିକେଟ୍ ପାଇଁ ୫୮ ରନ୍ ଯୋଡ଼ିଥିଲେ। ମୋଟେରାରେ ସୁଯୋଗ ହାତଛଡ଼ା କରିଥିବା ଜୟସ୍ବାଲ ରନ୍ ପାଇଁ କିଛି ସମୟ ନେଇଥିବା ବେଳେ ରାହୁଲ ଆକ୍ରମଣାତ୍ମକ ଖେଳିଥିଲେ। ତେବେ ସ୍ପିନର୍ ଜୋମେଲ୍ ୱାରିକାନ୍‌ଙ୍କ ଏକ ଟର୍ନରେ ରାହୁଲ ପରାସ୍ତ ହୋଇ ଷ୍ଟମ୍ପିଂ ହୋଇଯାଇଥିଲେ। ରାହୁଲ ୭୦.୩୭ ଷ୍ଟ୍ରାଇକ୍ ‌ରେଟ୍‌ରେ ୫୪ ବଲ୍‌ରୁ ୩୮ ରନ୍ ସଂଗ୍ରହ କରିନେଇଥିଲେ।

ଯଶସ୍ବୀ ଜୟସ୍ବାଲଙ୍କ ସପ୍ତମ ଟେଷ୍ଟ୍‌ ଶତକ କ୍ରିକେଟ୍ ଇତିହାସରେ ସ୍ବତନ୍ତ୍ର ଗୁରୁତ୍ବ ବହନ କରିଛି। ୨୪ ବର୍ଷ ପୂରଣ ପୂର୍ବରୁ ୭ ଶତକ ହାସଲ କରିବାରେ ସେ ବିଶ୍ବର ବହୁ ମହାନ ଖେଳାଳିଙ୍କ ସମକକ୍ଷ ହୋଇଛନ୍ତି। ଜୟସ୍ବାଲଙ୍କଠାରୁ ଏବେ କେବଳ ସାର୍ ଡନ୍ ବ୍ରାଡମ୍ୟାନ୍‌ (୧୨), ସଚିନ ତେନ୍ଦୁଲକର (୧୧), ଗାରଫିଲ୍ଡ ସୋବର୍ସ (୯) ଆଗରେ ରହିଛନ୍ତି। ଶୁକ୍ରବାର କିନ୍ତୁ ଜୟସ୍ବାଲ ଅନ୍ୟ ୪ କିଂବଦନ୍ତି କ୍ରିକେଟର୍ ଜାଭେଦ୍ ମିଆଁଦାଦ, ଗ୍ରେମ୍ ସ୍ମିଥ୍, ଆଲେଷ୍ଟର୍ କୁକ୍, କେନ୍ ୱିଲିୟମସନ୍‌ଙ୍କ ସମକକ୍ଷ ହୋଇଛନ୍ତି। ଏମାନେ ୨୪ ବର୍ଷ ପୂରଣ ପୂର୍ବରୁ ୭ ଲେଖାଏଁ ଟେଷ୍ଟ୍ ଶତକ ହାସଲ କରିସାରିଥିଲେ। ଜୟସ୍ବାଲ ଯେଉଁ ସମୟରେ ୭ ଶତକ ହାସଲ କରିଛନ୍ତି ସେହି ସମୟ ଭିତରେ ମିଳିତ ଭାବେ ଅନ୍ୟ ଭାରତୀୟ ଓପନର୍ ୬ ଶତକ ମାରିଛନ୍ତି। ଏହି ସମୟ ଭିତରେ ମଧ୍ୟ ବିଶ୍ବ କ୍ରିକେଟ୍‌ରେ କେବଳ ଇଂଲଣ୍ଡର ବେନ୍ ଡକେଟ୍‌ ସର୍ବାଧିକ ୪ ଶତକ ଜମାଇଛନ୍ତି। ଶୁକ୍ରବାର ଜୟସ୍ବାଲ ମଧ୍ୟ ୫୦ ମ୍ୟାଚ୍‌ରୁ ୩,୦୦୦ ଅନ୍ତର୍ଜାତୀୟ ରନ୍‌ ପୂରଣ କରିଛନ୍ତି। ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ଶିଖର ଧାୱନଙ୍କ ପରେ ଚତୁର୍ଥ ଭାରତୀୟ ଓପନର୍‌ ଭାବେ ଏହି ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

Leave a comment