ପାକିସ୍ତାନ ସୁପର ଲିଗ୍ ଅଧାରୁ ଛାଡ଼ି ଆଇପିଏଲ୍ ରେ ଯୋଗ ଦେଉଥିବାରୁ ଖେଳାଳିଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି ପିସିବି ଅଧ୍ୟକ୍ଷ ମୋହସିନ ନକଭି
ଆଇପିଏଲ୍ ପାଇଁ ପିଏସଏଲ୍ ଛାଡିଲେ ବିଦେଶୀ ଖେଳାଳି । ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ କଡ଼ା ଚେତାବନୀ । ପାକିସ୍ତାନ ସୁପର ଲିଗ୍ ଅଧାରୁ ଛାଡ଼ି ଆଇପିଏଲ୍ ରେ ଯୋଗ ଦେଉଥିବାରୁ ଖେଳାଳିଙ୍କ ଉପରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି ପିସିବି ଅଧ୍ୟକ୍ଷ ମୋହସିନ ନକଭି । ନିକଟରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଦାସୁନ ଶାନାକା ପିଏସଏଲ୍ ରୁ ନିଜ ନାଁ ପ୍ରତ୍ୟାହାର କରି ରାଜସ୍ଥାନ ରୟାଲ୍ସରେ ଯୋଗ ଦେବା ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଛି । ଶାନାକା ଲାହୋର କଲନ୍ଦର ଦଳକୁ ଛାଡ଼ି ଆହତ ସାମ କରନଙ୍କ ବଦଳରେ ଆଇପିଏଲ୍ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ଘଟଣା କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଘଟିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ନକଭି ।
ସେ ସ୍ପଷ୍ଟ କରିଛନ୍ତି ଯେ, ଶେଷ ମୁହୂର୍ତ୍ତରେ ଲିଗ୍ ଛାଡ଼ୁଥିବା ଖେଳାଳିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇପାରେ । ଶାନାକାଙ୍କ ପୂର୍ବରୁ ଜିମ୍ବାୱେର ବ୍ଲେସିଂ ମୁଜାରାବାନୀ ମଧ୍ୟ ସମାନ ଭାବେ ଇସଲାମାବାଦ ୟୁନାଇଟେଡ୍ ସହିତ ଚୁକ୍ତି ଶେଷ କରି କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇଥିଲେ । ନକଭି କହିଛନ୍ତି ଯେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ଏବଂ ଭବିଷ୍ୟତରେ କୌଣସି ଖେଳାଳି ଯେପରି ଏଭଳି ବ୍ୟବହାର ନ କରନ୍ତି, ସେଥିପାଇଁ ବୋର୍ଡ ସଜାଗ ରହିବ ।