ଆଉ କିଛି ଘଣ୍ଟା ପରେ ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍ ବିଶ୍ୱକପ ବିଗୁଲ୍ । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଖେଳାଳି ଓ ପ୍ରଶଂସକମାନଙ୍କ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ ।
ବ୍ରାଜିଲ ଓ ମରୋକୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ ।
ଅଣ୍ଡର ସେଭେଣ୍ଟିନ୍ ଫିଫା ମହିଳା ବିଶ୍ୱକପ୍ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି। ଏଥିନିମନ୍ତେ ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ଷ୍ଟାଡିୟମରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଯାଇଛି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପନ୍ନ କଳିଙ୍ଗ ଷ୍ଟାଡିୟମକୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍ରେ ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ଗୁଡ଼ିକୁ ନୂଆ ରୂପ ଦିଆଯାଇଛି ।