ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା

ଓଡ଼ିଶା ଟେନିସ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ଛନ୍ତି ଓଡ଼ିଆ ପୁଅ କବିର ହଂସା  ନିଜ ଖେଳ ଜୀବନର ଶ୍ରେଷ୍ଠ ପ୍ରଦର୍ଶକ ସହ ପ୍ରଥମ ଓଡ଼ିଶା ଖେଳାଳି ଭାବେ ଜିତିଛନ୍ତି ବରିଷ୍ଠ ବର୍ଗର ଆଇଟିଏଫ ଉପବିଜେତା ଟ୍ରଫି । କଳିଙ୍ଗ ଷ୍ଟାଡ଼ିୟମ ଟେନିସ କଂପ୍ଳେକ୍ସରେ ଚାଲିଥିବା ଆଇଟିଏଫ ବିଶ୍ବ ଟେନିସ ଟୁର ଅନ୍ତର୍ଗତ ମେନ୍ସ 25 ପ୍ରତିଯୋଗିତାର ପୁରୁଷ  ଯୁଗଳ ବର୍ଗରେ କବିର ଓ ତାଙ୍କ ଭାରତୀୟ ସାଥୀ ଋଷଭ ଅଗ୍ରଓ୍ବାଲ ଫାଇନାଲରେ ଭଲ ଲଢେଇ କରିଥିଲେ ମଧ୍ୟ ଶୀର୍ଷମାନ୍ୟତାପ୍ରାପ୍ତ ରୁଷୀୟ ଯୋଡ଼ି ଆଇଗର ଆଗାଫୋନଭ ଓ ବୋଗତାନ ବୋବ୍ରୋଭଙ୍କଠାରୁ 4-6 , 3-6 ରେ ହାରିଯାଇଥିଲେ । ଶୁକ୍ରବାର ସେମିଫାଇନାଲରେ କବିର ଋଷଭ 6-2,7-6 ସେଟରେ ତୃତୀୟ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି  ବିଷ୍ଣୁ ବର୍ଦନ ଓ ସିଦ୍ଧାନ୍ତ ବନ୍ଥିଆଙ୍କୁ ପରାସ୍ତ କରି ଫାଇନାଲ ଆସିଥିଲେ । କଳିଙ୍ଗ ଷ୍ଟାଡ଼ିୟମ ସେଣ୍ଟର କୋର୍ଟରେ ଏହି ଫାଇନାଲ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ସମାରୋହରେ  କୋଲ ଇଣ୍ଡିଆ ଲିମିଟେଡ଼ର ଅଧ୍ୟକ୍ଷ ପିଏମ  ପ୍ରସାଦ , ଟାଇଟଲ ପ୍ରାୟୋଜକ ଏମ୍‌ସିଏଲ୍‌ର ସିଏମ୍‌ଡି ଉଦୟ ଏ ‌କାଓଲେ, ନିର୍ଦ୍ଦେଶକ (ଅର୍ଥ) ଅଜିତ ବେହୁରା ଅତିଥି ଭାବେ ‌ଯୋଗଦେଇଥିଲେ। ଓଡ଼ିଶା ଟେନିସ୍ ସଂଘ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ସତ୍ୟଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା, ଆଇଟିଏଫ୍ ପର୍ଯ୍ୟବେକ୍ଷକ ଅଭି‌ଷେକ ମୁଖାର୍ଜୀ, ଓଟିଏ ପରିଚାଳକ ସମ୍ବିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ଏକକ ଫାଇନାଲ୍ ପ୍ରତିଯୋଗିତା ସହ ଏହା ଉଦ୍‌ଯାପିତ ହେବ। ଶୀର୍ଷ ମାନ୍ୟତାପ୍ରାପ୍ତ ଚେକ୍‌ ରିପବ୍ଲିକ୍ ଖେଳାଳି ଡାଲିବର୍ ସର୍ଭିନା ଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଆମେରିକାର ନିକ୍ ଚାପେଲଙ୍କୁ ଭେଟିବେ। ସେମିଫାଇନାଲ୍‌ରେ ଡାଲିବର୍‌ ଭାରତର ଆର୍ଯ୍ୟନ୍‌ ସାହାଙ୍କୁ ୬-୦, ୬-୪ରେ ଏବଂ ନିକ୍‌ ୬-୨, ୬-୩ରେ ବଗଡନ୍‌ ବୋବ୍ରଭଙ୍କୁ ପରାସ୍ତ କରିଥିଲେ।