ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୬ର ସପ୍ତମ ମ୍ୟାଚ୍: ପଞ୍ଜାବକୁ ୨୧୦ ରନ୍ର ଲକ୍ଷ୍ୟ ଦେଲା ଚେନ୍ନାଇ
ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୬ର ସପ୍ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଂଜାବ କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଉଭୟ ଟିମ୍ର ମୁକାବିଲା ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିଣି ପଂଜାବ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଘରୋଇ ଟିମ୍ ବ୍ୟାଟିଂ କରିଥିଲା। ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୦୯ ରନ୍ ସଂଗ୍ରହ କରିଛି। ଫଳରେ ପଞ୍ଜାବକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୧୦ ରନ୍ର ଲକ୍ଷ୍ୟ ମିଳିଛି। ଚେନ୍ନାଇ ପାଇଁ ଟି୨୦ ବିଶ୍ବକପ୍ର ହିରୋ ସଂଜୁ ସାମସନ ଏବଂ ଋତୁରାଜ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ମାତ୍ର ୧୪ ରନ୍ର ଭାଗିଦାରୀ କରିପାରିଥିଲେ। ୱିକେଟ୍କିପର ବ୍ୟାଟର ସଂଜୁ ସାମସନ ୭ଟି ବଲ୍ ଖେଳି ଗୋଟିଏ ଚୌକା ସହାୟତାରେ ୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଦଳ ଦ୍ବିତୀୟ ୱିକେଟ୍ ପାଇଁ ଭଲ ଭାଗିଦାରୀ ହୋଇପାରିଥିଲା। ଗାଏକ୍ବାର୍ଡଙ୍କ ସହିତ ଆୟୁଷ ମାହାତ୍ରୋ ୯୬ ରନ୍ର ଭାଗିଦାରୀ କରିପାରିଥିଲେ। ଗାଏକ୍ବାର୍ଡ ୨୮ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଏଥି ପାଇଁ ସେ ୨୨ଟି ବଲ୍ ଖେଳି ୨ଟି ଚୌକା ମାରିଥିଲେ। ଚେନ୍ନାଇର ବଡ଼ ସ୍କୋରରେ ସବୁଠାରୁ ବଡ଼ ଭୂମିକା ତୁଲାଇଥିଲେ ଆୟୁଷ। ସେ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିଲେ। ୪୩ଟି ବଲ୍ ଖେଳି ୬ଟି ଚୌକା ଏବଂ ୫ଟି ଛକା ବଳରେ ୭୩ ରନ୍ ସଂଗ୍ରହ କରିଥିଲେ। ଶିଭମ ଦୁବେ (ଅପରାଜିତ ୪୫ ରନ୍) ଏବଂ ସରଫରାଜ ଖାନ (୩୨ ରନ୍)ଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ଥିଲା। ପ୍ରଶାନ୍ତ ବୀର ଅପରାଜିତ ୬ ରନ୍ ସଂଗ୍ରହ କରିଥିଲେ। ପଂଜାବ ପକ୍ଷରୁ ବିଜୟ କୁମାର ବ୍ୟାସକ ୨ଟି ୱିକେଟ୍ ଅକ୍ତିଆର କରିଥିଲା ବେଳେ ଜାଭିର ବାର୍ଟଲେଟ୍, ମାକ୍ରୋ ଜନସେନ୍ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।