ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା , ସନ୍ଧ୍ୟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍
ସରିଲା ପ୍ରତୀକ୍ଷା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ।
ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପରାଜୟର କ୍ଷତକୁ ଶୃଙ୍ଖଳା ବିଜୟରେ ବଦ୍ଲା ନେବାକୁ ଚାହିଁବ । ଆହତ ସମସ୍ୟା ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ଶୁବମନ ଗିଲ୍ଙ୍କ ଉପସ୍ଥିତିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଫର୍ମ କିନ୍ତୁ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ରହିଛି ।
ଏପଟେ ଏଥର ବାରବାଟୀ ପିଚକୁ ନେଇ ଖୁବ ଚର୍ଚ୍ଚା । ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ହୋଇଥିବାରୁ ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ । ସାଧାରଣତଃ ଲାଲ୍ ମାଟିରେ ପ୍ରସ୍ତୁତ ପିଚ୍ ଅଧିକ ପେସ୍ ଓ ବାଉଁଶ ଦେବା ସହ ପାଳିର ବିଳମ୍ବିତ ଭାଗରେ ସ୍ପିନର୍ଙ୍କୁ ସୁଯୋଗ ଦେଇଥାଏ । କିନ୍ତୁ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆଶାରେ ଏଭଳି ପିଚ୍ ଉପରେ ଭରସା କରାଯାଇଛି। ସେପଟେ ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।