ଆଜି ଖେଳାଯିବ ଭାରତ ଓ ଇଂଲଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ

ଭାରତ ଓ ଇଂଲଣ୍ଡ ମଧ୍ୟରେ ‌ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ ମଙ୍ଗଳବାର ରାଜକୋଟରେ ଖେଳାଯିବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ବିରୋଧରେ ଭାରତ ଲଗାତାର ପଞ୍ଚମ ଶୃଙ୍ଖଳା ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବାରୁ ଭାରତ ଆସନ୍ତାକାଲି ହିଁ ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। କାରଣ ଭାରତ ୨୦୧୪ ମସିହାଠାରୁ ଇଂଲଣ୍ଡ ବିପକ୍ଷରେ କୌଣସି ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ। ଟିମ୍ ଇଣ୍ଡିଆର ଏହି ଆଧିପତ୍ୟ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା। ସେହିବର୍ଷ ଘରୋଇ ପରିବେଶରେ ଇଂଲଣ୍ଡକୁ ୨-୧ରେ ହରାଇବା ପରେ ଇଂଲଣ୍ଡରେ ୨-୧, ପୁଣି ଭାରତରେ ୩-୧ ଏବଂ ତା ପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିଲା। ଭାରତୀୟ ଦଳ ମଧ୍ୟ ୨୦୨୩ ମସିହା ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରଠାରୁ ଲଗାତାର ୭ଟି ଶୃଙ୍ଖଳ‌ାରେ ଅପରାଜେୟ ରହିଛି। ବିଶ୍ବବିଜେତା ଭାରତ ଗତ ଜୁନ୍‌ରେ ବିଶ୍ବକପ୍ ଜିତିବା ପରଠାରୁ ଖେଳିଥିବା ୧୭ ମ୍ୟାଚ୍‌ରୁ ୧୫ଟିରେ ବିଜୟୀ ହୋଇଛି। ସେପଟେ ଇଂଲଣ୍ଡ ପୂର୍ବ ଦୁଇ ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ରାଜକୋଟରେ ବିଜୟ ଖାତା ‌ଖୋଲିବା ସହ ଶୃଙ୍ଖଳା ଜୀବନ୍ତ ରଖିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।