ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ – ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି
ଶାହିଦ ଆଫ୍ରିଦିଙ୍କ ଭାରତ ଉପରେ ପୁଣି ଥରେ ବିବାଦୀୟ ବୟାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି, “ଭାରତ ପହଲଗାମ ଘଟଣା ପାଇଁ ପାକିସ୍ତାନକୁ ଦାୟୀ କଲା, କିନ୍ତୁ ସେମାନେ ପ୍ରମାଣ ଓ ସତ୍ୟ ଦେଖାଇବା ଉଚିତ । କୌଣସି ଧର୍ମ ଏଭଳି ଘଟଣାକୁ ସମର୍ଥନ କରେ ନାହିଁ । ଆଫ୍ରିଦି ଆହୁରି କହିଛନ୍ତି, ପାକିସ୍ତାନ ନିଜେ ଆତଙ୍କବାଦର ଶିକାର, ତେଣୁ ଏଭଳି ଅଭିଯୋଗ ଦୁଃଖଦ । ଆଫ୍ରିଦି ଭାରତୀୟ ସେନା ଓ ଗୁଇନ୍ଦା ସଂସ୍ଥାଙ୍କ ବିଫଳତାକୁ ଦାୟୀ କରି କହିଛନ୍ତି, କାଶ୍ମୀରରେ ୮ ଲକ୍ଷ ସୈନ୍ୟ ମୁତୟନ ଥାଇ ମଧ୍ୟ ଏଭଳି ଘଟଣା ଘଟିଛି, ଯାହା ଭାରତୀୟ ସୁରକ୍ଷା ବ୍ୟବସ୍ଥାର ଅପାରଗତାକୁ ଦର୍ଶାଏ।” ଏହି ବୟାନ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଆଫ୍ରିଦି ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । କ୍ରିକେଟ୍ ଜଗତରେ ଜଣେ ଜଣାଶୁଣା ନାମ ହେଲେ ମଧ୍ୟ ତାଙ୍କର ରାଜନୈତିକ ମନ୍ତବ୍ୟ ସବୁବେଳେ ବିବାଦ ସୃଷ୍ଟି କରିଥାଏ ।