ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଦତ୍ତାଜିରାବ ଗାଏକୱାଡଙ୍କ ପରଲୋକ ହୋଇଛି। ମଙ୍ଗଳବାର ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୂର୍ବତନ ଭାରତୀୟ ଖେଳାଳି ଇରଫାନ ପଠାନ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଗତ ୨ଦିନ ହେବ ବଡୋଦାରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି(ମଙ୍ଗଳବାର) ସକାଳେ ତାଙ୍କର ମୃତ୍ୟୁ ହୋଇଛି।
ଗାଏକୱାଡ ପ୍ରଥମ କରି ବମ୍ବେ ବିଶ୍ୱବିଦ୍ୟାଳୟ ଓ ବଡୋଦା ମହାରାଜ ସୟାଜୀ ବିଶ୍ୱବିଦ୍ୟାଳୟ ପାଇଁ କ୍ରିକେଟ ଖେଳିଥିଲେ। ଏହାପରେ ୧୯୫୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଡେବ୍ୟୁ କରିଥିଲେ। ୧୯୫୯ରେ ଭାରତୀୟ ଦଳର ଅଧିନାୟକ ହୋଇଥିଲେ। ଗାଏକୱାଡ ଭାରତୀୟ ଟିମ୍ ପାଇଁ ୧୧ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ।