ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ
ପୂର୍ବତନ କ୍ରିକେଟ୍ କିଂବଦନ୍ତି ତଥା ଅଷ୍ଟ୍ରେଲିଆ କ୍ରିକେଟ୍ର ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ବବ୍ ସିମ୍ପସନଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ୧୯୫୭ରୁ ୧୯୭୮ ମଧ୍ୟରେ ୬୨ ଟେଷ୍ଟ୍ ଖେଳି ୪୮୬୯ ରନ୍ କରିବା ସହ ୭୧ ୱିକେଟ୍ କରାୟତ୍ତ କରିଥିଲେ ସେ। ମାତ୍ର ୧୬ବର୍ଷ ବୟସରେ ନ୍ୟୁ ସାଉଥ୍ ୱେଲ୍ସ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବା ଆରମ୍ଭ କରିଥିବା ସିମ୍ପସନ୍ ଏହି ଦଳ ପକ୍ଷରୁ ୨୧,୦୨୯ ରନ୍ କରିଥିଲେ। ୧୯୫୭ରୁ ୧୯୬୮ ପର୍ଯ୍ୟନ୍ତ ୧୧ବର୍ଷ ଧରି ଅଷ୍ଟ୍ରେଲିଆ ପକ୍ଷରୁ ଖେଳି ୨୯ଟିରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ସେ। ୧୯୬୮ ମସିହାରେ ଅବସର ଘୋଷଣା କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ୍ର ହିତ ଦୃଷ୍ଟିରୁ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ୧୯୭୮ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ସିମ୍ପସନ୍। ୧୯୬୫ ମସିହାରେ ୱିଜଡେନ୍ କ୍ରିକେଟର୍ ଅଫ୍ ଦ ଇୟର ଘୋଷିତ ହୋଇଥିବା ସମ୍ପସନ୍ ୨୦୦୬ରେ ଅଷ୍ଟ୍ରେଲୀୟ କ୍ରିକେଟ୍ ହଲ୍ ଅଫ୍ ଫେମ୍ ଏବଂ ୨୦୧୩ରେ ଆଇସିସି କ୍ରିକେଟ୍ ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଥିଲେ।
ସେ ଚୟନକର୍ତ୍ତା ଥିଲା ବେଳେ ଅଷ୍ଟ୍ରେଲିଆକୁ ମାର୍କ ଟେଲର, ଇଆନ ହିଲି, ମାର୍କ ୱ’, ସେନ୍ ୱର୍ଣ୍ଣ, ଜଷ୍ଟିନ୍ ଲାଙ୍ଗର, ମାଥ୍ୟୁ ହେଡେନ, ଡାମିଏନ ମାର୍ଟିନ, ଗ୍ଲେନ୍ ମ୍ୟାକଗ୍ରା ଓ ରିକି ପଣ୍ଟିଂଙ୍କ ଭଳି ଖେଳାଳି ମିଳିଥିଲେ। ୧୯୮୬ ମସିହାରେ ସେ ମଧ୍ୟ ଅଷ୍ଟ୍ରେଲିଆ ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରି କଙ୍ଗାରୁ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲେ। ୧୯୯୦ ଦଶକରେ ଭାରତୀୟ କ୍ରିକେଟ୍ ଦଳର ପରାମର୍ଶଦାତା ଥିବା ସିମ୍ପସନ୍ ୨୦୦୪ରୁ ୩ ବର୍ଷ ପାଇଁ ରାଜସ୍ଥାନ ରଣଜୀ ଦଳ ସହ ମଧ୍ୟ କାର୍ଯ୍ୟ କରିଥିଲେ।