ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ, ଡିସେମ୍ବର ୨୪ରେ ଭାରତ ଓ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।ଏହି ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ ।

ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ବାରବାଟୀ ମଇଦାନରେ ଉଭୟ ଦଳ ମଧ୍ୟରେ ଏହା ପ୍ରଥମ ମୁକାବିଲା ଥିଲା ।

ବାରବାଟୀରେ ପୁଣିଥରେ ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ଷ୍ଟାଡିୟମରେ ଶହ ଶହ ଦର୍ଶକଙ୍କ ଗହଳି ଓ ‘ଇଣ୍ଡିଆ-ଇଣ୍ଡିଆ’ ନାରାରେ ପୁଣିଥରେ କଟକ ସହର କମ୍ପିବ ବୋଲି ଆଶା କରାଯାଉଛି ।

Leave a comment