ମହିଳା କ୍ରିକେଟ୍ ବିଶ୍ବକପ୍ – ସେମିଫାଇନାଲରେ ଅଷ୍ଟ୍ରେଲିଆ
ଅଧିନାୟିକା ଆଲିସା ହିଲି (୧୧୩*)ଙ୍କ ଧମାକାଦାର ଶତକ ବଳରେ ଚଳିତ ଏକଦିବସୀୟ ମହିଳା କ୍ରିକେଟ୍ ବିଶ୍ବକପ୍ର ଗୁରୁବାର ଖେଳାଯାଇଥିବା ସପ୍ତଦଶ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୦ ୱିକେଟ୍ରେ ଏକତରଫା ଭାବେ ବାଂଲାଦେଶକୁ ପରାସ୍ତ କରିଛି। ତା’ ସହିତ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ବିଜୟ ସହ ମୋଟ ୯ ପଏଣ୍ଟ୍ ପାଇ ପ୍ରଥମ ଦଳ ଭାବେ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛି। ବାଂଲାଦେଶ ମାତ୍ର ୧୯୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ହିଲି ଓ ଫୋବି ଲିଚଫିଲ୍ଡ (୮୪*)ଙ୍କ ଦ୍ରୁତ ଓ ଦମ୍ଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୧୫୧ ବଲ୍ ପୂର୍ବରୁ ବିନା କ୍ଷତିରେ ହାସଲ କରିନେଇଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି। ସଂପ୍ରତି ପଏଣ୍ଟ୍ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ଏହି ଦଳର ସେମିଫାଇନାଲ୍ ଆଶା ଏଥିସହ ପ୍ରାୟତଃ ମଉଳି ଯାଇଛି।
ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଏହି ନିଷ୍ପତ୍ତି ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରି ବାଂଲାଦେଶର କୌଣସି ବ୍ୟାଟର୍ଙ୍କୁ ହାତଖୋଲା ସଟ୍ ଖେଳିବାକୁ ଦେଇ ନଥିଲେ। ରୁବିୟା ହାଇଦରଙ୍କ ୪୪ ଏବଂ ଶୋଭନା ମୋସ୍ତାରୀଙ୍କ ଲଢ଼ୁଆ ୬୬* ରନ୍ ବଳରେ ହିଁ ଏହି ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୯୮ ରନ୍ କରିପାରିଥିଲା। ଯାହା ଆଶାଜନକ ଭାବେ ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଅଷ୍ଟ୍ରେଲିଆ ପାଇଁ ଆଦୌ ପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇ ନଥିଲା। ଅଷ୍ଟ୍ରେଲିଆ ଶେଷରେ ମାତ୍ର ୨୪.୫ ଓଭରରେ ୨୦୨/୦ କରି ସହଜ ବିଜୟ ପାଇଥିଲା। ଚୌକା ମାରି ଲିଚ୍ଫିଲ୍ଡ ୬ଥର ବିଜେତା ଦଳର ବିଜୟ ମୁଣ୍ଡି ମାରିଥିଲେ। ହିଲି ବିସ୍ଫୋରକ ଶତକ ଅର୍ଜନ କରିଥିଲେ ମଧ୍ୟ କଙ୍ଗାରୁ ଦଳର ୩୦ ବର୍ଷୀୟା ସ୍ପିନର ଏଲିନା କିଙ୍ଗ୍ (୧୦-୪-୧୮-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।