ଅଷ୍ଟ୍ରେଲିଆ ୪ ରନରେ ଆଫଗାନିସ୍ତାନକୁ ପରାସ୍ତ କଲା, ସେମିଫାଇନାଲ ଯିବା ସହଜ ନୁହେଁ

ଆଡିଲେଡ୍ : ଆଡିଲେଡଠାରେ ଅଷ୍ଟ୍ରେଲିଆକୁ ବହୁ କଷ୍ଟ ସ୍ବୀକାର କରି ଜିତିବାକୁ ପଡିଛି । ହାରୁ ହାରୁ ଜିତିଯାଇଛି ଅଷ୍ଟ୍ରେଲିଆ । ତେବେ ଏବେ ବି ଅଷ୍ଟ୍ରେଲିଆ ସେମିଫାଇନାଲ ଆଶା ଉଜ୍ଜ୍ବଳ ନାହିଁ । ଆସନ୍ତାକାଲି ଯଦି ଇଂଲଣ୍ଡ ଶ୍ରୀଲଙ୍କାକୁ ପରାସ୍ତ କରେ ତେବେ ଅଷ୍ଟ୍ରେଲିଆ ସେମିଫାଇନାଲ ଯାଇପାରିବ ନାହିିଁଁ ।

ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଆଫଗାନିସ୍ତାନକୁ ୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୮ ରନ କରିଥିଲା ।  ଦଳ ପକ୍ଷରୁ ଗ୍ଲେନ ମାକ୍ସଓ୍ବେଲ ୫୪ ରନ କରିଥିବାବେଳେ ମିଚେଲ ମାର୍ସ ୪୫ ରନ କରିଥିଲେ । ସେହିପରି ଡେଭିଡ ଓ୍ବାର୍ନର ଓ ମାର୍କସ ଷ୍ଟୋଇନିସ ୨୫ ରନ ଲେଖାଏଁ କରିଥିଲେ । କିନ୍ତୁ ୧୬୯ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆଫଗାନିସ୍ତାନ ଆରମ୍ଭରୁ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ହରାଇଦେବ ବୋଲି ଲାଗୁଥିଲା । ରହମାନୁଲ୍ଲା ଗୁରବାଜ ୩୦ ରନ, ଇବ୍ରାହିମ ଜରଦାନ ୨୬ରନ ଓ ଗୁଲବଦିନ ନଇବ ୩୯ ରନ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମାତ୍ର ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ଲଗାତାର ଆଉଟ ଯୋଗୁ ଦଳ ହାରିଯାଇଥିଲା । ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ମାତ୍ର ୨୩ ବଲରୁ ବିସ୍ଫୋରକ ୪୮ ରନ କରିଥିଲା ବେଳେ ଗୁଲାବୁଦ୍ଦିନ 39 ରନ କରିଥିଲେ ।