ସ୍ପେନ୍-ଇଂଲଣ୍ଡ ଟ୍ରଫି ଟକ୍କର
ୟୁରୋ-୨୦୨୪’ ଟ୍ରଫି ଟକ୍କର। ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିବା ଉତ୍ସାହୀ ଇଂଲଣ୍ଡ ଓ ଆତ୍ମବିଶ୍ବାସର ଭରପୂର ସ୍ପେନ୍ ମଧ୍ୟରେ ହେବାକୁ ଥିବା ଏହି ପ୍ରତୀକ୍ଷିତ ମେଗା ଫାଇନାଲ୍ ଉପରେ ସାରା ବିଶ୍ବର ଫୁଟ୍ବଲ୍ପ୍ରେମୀଙ୍କ ନଜର। ଉଭୟ ଦଳ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିଥିବାରୁ ବର୍ଲିନର ଅଲିମ୍ପିଆ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ୍ ରୋମାଞ୍ଚକ ତଥା ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତେବେ ଗ୍ରୁପ୍ ପର୍ଯ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ସ୍ପେନ୍ର ପଲା ସାମାନ୍ୟ ଭାରୀ ରହିବ। କାରଣ ଇଂଲଣ୍ଡ ଲିଗ୍ ପର୍ଯ୍ୟାୟର କେବଳ ସର୍ବିୟାକୁ ହରାଇଥିଲା ବେଳେ ଡେନମାର୍କ ଓ ସ୍ଲୋଭେନିଆ ସହ ଡ୍ର’ କରିଥିଲା। ତେବେ ନକ୍ଆଉଟ୍ରେ ଇଂଲଣ୍ଡ ଦକ୍ଷତାମୂଳକ ଖେଳ ଖେଳି ସମର୍ଥକଙ୍କ ହୃଦୟ ଜିତି ନେଇଥିଲା। ଅନ୍ୟପକ୍ଷରେ ସ୍ପେନ୍ ଲିଗ୍ ସହ ନକ୍ଆଉଟ୍ରେ ଆଧିପତ୍ୟ ବିସ୍ତାର କରି ଫାଇନାଲ୍ ଆସିଛି। ଜର୍ମାନୀ ଓ ଫ୍ରାନ୍ସ ଭଳି ଦଳକୁ ହରାଇ ମନୋବଳ ଢେର ବଢ଼ାଇପାରିଛି। ୧୬ ବର୍ଷୀୟ ଲମିନ ୟମାଲ ଫୁଟବଲ୍ ପଡ଼ିଆରେ କ୍ରମାଗତ ଭାବେ ଧମାଲ କରୁଛନ୍ତି। ନିକୋ ୱିଲିୟମ୍ସ, ପେଡ୍ରୋ, ଫେରାନ ଟୋରେସଙ୍କ ଭଳି ଖେଳାଳି ପୂରା ଫର୍ମରେ ଅଛନ୍ତି। ତେବେ ଏହି ମ୍ୟାଚ୍ରେ ପ୍ରଶଂସକମାନେ ଦଳଗତ ସହ ଏକାଧିକ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ପାଇବେ।