ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ- ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ମ୍ୟାଚରେ ଫଲୋଅନର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍ ନିଜର ୨ୟ ଇନିଂସରେ ୩୯୦ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଇନିଂସ ଓପନ କରିଛନ୍ତି । କିନ୍ତୁ ଭାରତ ମାତ୍ର ୯ ରନରେ ନିଜର ପ୍ରଥମ ଓ୍ବିକେଟ ହରାଇଛି । ଜୟସ୍ବାଲ ମାତ୍ର ୮ ରନ କରି ଓ୍ବାରିକାନଙ୍କ ବଲରେ ଆଉଟ ହୋଇଛନନ୍ତି ।

ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଜନ କ୍ୟାମ୍ପବେଲ ୧୧୫ ରନ ଓ ସାଇ ହୋପେ ୧୦୩ ରନ କରି ଭାରତୀୟ ବୋଲରଙ୍କ ଦୃଢ ମୁକାବିଲା କରିଥିଲେ । ସେହିପରି ଜଷ୍ଟିନ ଗ୍ରିଭସ ୫୦ ରନ ଓ ରୋଷ୍ଟନ ଚେଜ୍ ୪୦ ରନ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ଓ ଯଶପ୍ରୀତ ବୁମରା ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।ଗତକାଲି ଓ୍ବେଷ୍ଟ ଇଣ୍ଡିଜ୍ ନିଜର ପ୍ରଥମ ଇନିଂସରେ ୨୪୮ ରନ କରି ଅଲଆଉଟ ହୋଇଯାଇଥିଲା ଓ ଫଲୋ-ଅନ ହୋଇ ପୁଣି ଥରେ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ଦଳ ପକ୍ଷରୁ ଆଲିକ୍ ଆଥାନାଜେ ୪୧ ରନ କରିଥିବାବେଳେ ସାଇ ହୋପ୍ ୩୬ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୫ଟି ଓ ରବୀନ୍ଦ୍ର ଜାଦେଜା ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିଜର ପ୍ରଥମ ଇନିଂସରେ ଭାରତ ୫୧୮ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୭୫ ରନ କରିଥିବାବେଳେ ଶୁବମନ ଗିଲ୍ ୧୨୯ ରନ କରିଥିଲେ ।

Leave a comment