ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା,3-0 ହାରିଲା କ୍ରୋଏସିଆ

କତାର: ବିଶ୍ୱକପ ଫାଇନାଲକୁ ପ୍ରବେଶ କରିଛି ଆର୍ଜେଣ୍ଟିନା । କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ ମେସିଙ୍କ ଦମଦାର ପ୍ରଦର୍ଶନ ଫଳରେ ଆର୍ଜେଣ୍ଟିନା କ୍ରୋଏସିଆକୁ ପରାସ୍ତ କରିଛି ।

ପ୍ରଥମ ସେମି ଫାଇନାଲରେ ମେସିଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ ଏହି ମ୍ୟାଚ୍‌ରେ ଗୋଟିଏ ଗୋଲ କରିଥିବା ବେଳେ ଆଉ ଗୋଟିଏ ଗୋଲ ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ। ଆର୍ଜେଣ୍ଟିନାର ଅନ୍ୟତମ ଷ୍ଟାର ଖେଳାଳି ଜୁଲିଆନ ଆଲଭାରେଜ ଦୁଇଟି ଗୋଲ ସ୍କୋର କରିଥିଲେ । ଆର୍ଜେଣ୍ଟିନା ବିଜୟ ପରେ ଦେଶରେ ଖୁସିର ଲହର ଖେଳିଯାଇଛି ।

ଦୁଇ ଥର ବିଶ୍ୱକପ ଜିତିଥିବା ଆର୍ଜେଣ୍ଟିନା ତୃତୀୟ ଥର ଜିତିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି । ମେସିଙ୍କର ଏହା ଶେଷ ବିଶ୍ୱକପ ହୋଇଥିବାରୁ ସାରା ବିଶ୍ବର କ୍ରୀଡାପ୍ରେମୀ ତାଙ୍କ ଦଳ ବିଜୟୀ ହେବା ପାଇଁ ଆଲୋଚନା କରୁଛନ୍ତି । ଆଜି ରାତି ୧୨.୩୦ରେ ଦ୍ୱିତୀୟ ସେମିରେ ମରକ୍କୋ ଓ ୨୦୧୮ରେ ବିଶ୍ୱକପ ଜିତିଥିବା ଫ୍ରାନ୍ସ ମୁହାଁମୁହିଁ ହେବେ। ଗତକାଲି ମ୍ୟାଚରେ ୩୪ତମ ମିନିଟ୍‌ରେ ଆର୍ଜେଣ୍ଟିନାକୁ ମିଳିଥିଲା ପେନାଲ୍‌ଟି କିକ୍‌। ଜୁଲିଆନ୍‌ ଆଲ୍‌ଭାରେଜ୍‌ କ୍ରୋଏସିଆ ଡି’ ଭିତରେ ଥିବା ବେଳେ ଗୋଲ କିପର ଡୋମିନିଚ୍‌ ଲିଭାକୋଭିଚ୍‌ ତାଙ୍କୁ ଅଟକାଇବା ପାଇଁ ଫାଉଲ ମାରିଥିଲେ। ଏଥିପାଇଁ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା। ଏହାକୁ ମେସି ଅତି ସହଜରେ ଗୋଲ୍‌ରେ ପରିଣତ କରି ଆର୍ଜେଣ୍ଟିନାକୁ ୧-୦ରେ ଆଗୁଆ କରି ଦେଇଥିଲେ।