ବାଂଲାଦେଶକୁ ୧୮୫ ରନ୍ର ଟାର୍ଗେଟ୍ ଦେଇଛି ଭାରତ
ଆଡିଲେଡ୍ ୦୨/ ୧୧: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ବୁଧବାର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ବାଂଲାଦେଶ । ଲୋକେସ ରାହୁଲ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୮୪ ରନ କରିଛି ଟିମ୍ ଇଣ୍ଡିଆ । ଦର୍ଶନୀୟ ଅର୍ଦ୍ଧଶତକ ସହିତ ଫର୍ମକୁ ଫେରିଛନ୍ତି ଓପନର୍ ଲୋକେସ ରାହୁଲ । ବିରାଟ କୋହଲିଙ୍କ ଦମଦାର ଫର୍ମ ଜାରି ରହିଛି । ବାଂଲାଦେଶକୁ ଜିତିବାକୁ ହେଲେ ୧୮୫ ରନ କରିବାକୁ ହେବ ।
ଓପନର୍ ଲୋକେସ ରାହୁଲ ୩୨ ବଲରୁ ୩ଟି ଚୌକା ଏବଂ ୪ଟି ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ଫେଲ୍ ମାରିଛନ୍ତି । ରୋହିତ ମାତ୍ର ୨ ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ବିସ୍ଫୋରକ ୩୦ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୫ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ୭ରନ କରି ରନଆଉଟ, ଅକ୍ଷର ପଟେଲ ୭ରନ କରି ଆଉଟ ହୋଇଛନ୍ତି । ବିରାଟ କୋହଲି ପୁଣି ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି । ଶେଷ ପର୍ଯ୍ୟନ୍ତ ରହି ୪୪ ବଲରୁ ୮ ଚୌକା ଓ ୧ ଛକା ସହାୟତାରେ ୬୪ ରନ କରି ନଟଆଉଟ ଅଛନ୍ତି କୋହଲି । ସେହିଭଳି ଅଶ୍ବିନ ୧୩ ରନ କରି ଅପରାଜିତ ଅଛନ୍ତି ।
ବାଂଲାଦେଶ ପକ୍ଷରୁ ହାସନ୍ ମହମୁଦ ୪ ଓଭରରେ ୪୭ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ, ସାକିବ ଅଲ୍ ହାସନ ୪ ଓଭରରେ ୩୩ରନ ଦେଇ ଦୁଇଟି ଓ୍ବିକେଟ, ମୁସ୍ତଫିଜୁର ରେହମାନ ୪ ଓଭରରେ ୩୧ରନ, ତସ୍କିନ୍ ଅହମଦ ୪ ଓଭରରେ ୧୫ରନ ଏବଂ ସୋରିଫୁଲ୍ ଇସଲାମ ୪ ଓଭରରେ ୫୭ ରନ ଦେଇଛନ୍ତି ।