ପଞ୍ଚୁକ ଓଡ଼ିଶାରେ ପାଳିତ ଏକ ହିନ୍ଦୁ ପର୍ବ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚ ଦିନ ଆମିଷ ଛାଡ଼ି ହିନ୍ଦୁମାନେ ସାତ୍ତ୍ବିକ ଭୋଜନ କରିଥାଆନ୍ତି ।କିମ୍ବଦନ୍ତୀ ଅନୁଯାୟୀ, ବଗ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହନ୍ତି ବୋଲି କଥିତ ଥିବାରୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ପୌରାଣିକ ବିଶ୍ୱାସ ଅନୁଯାୟୀ ଶର ଶଯ୍ୟା ଉପରେ ଶାୟିତ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୃପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ।ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ‘ଭୀଷ୍ମ ପଞ୍ଚକ ବ୍ରତ’ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ଲକ୍ଷ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ତେବେ ପଞ୍ଚୁକ ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଅନେକ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯାଏ ।ପ୍ରଥମ ଦିନର ଆଜି ଏକାଦଶୀରେ ହରି ଉତ୍ଥାପନ ଏକାଦଶୀରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି।ସେହିପରି ଦ୍ଵାଦଶୀରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୁଡ଼ ବେଶ ହୁଅନ୍ତି । ଯେତେବେଳେ ଅକ୍ରୁର ଗୋପପୁରକୁ ଯାଇଥିଲେ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ, ସେହି ସମୟରେ ବ୍ରଜ ଦାଣ୍ଡରେ ଏହି ରୂପରେ ଅକ୍ରୁର ଦର୍ଶନ କରିଥିଲେ। ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଠାକୁର ମାନେ ସୁନାର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଚୁଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ ।ତ୍ରୟୋଦଶୀରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତିବିକ୍ରମ ବେଶରେ ଦର୍ଶନ ଦେବାର ପରମ୍ପରା ରହିଛି ।ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି ।କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ।ଏହି ଦିନ ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ମହାକାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ , ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।ଏହାପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରୁଭୁ ଭକ୍ତମାନଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦିଅନ୍ତି । ଅବକାଶ ନୀତି ଶେଷ ହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳ ଧୂପ ଓ ଭୋଗ ମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post