ହିଜାବ ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ମାମଲାର ଜରୁରୀ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଉକ୍ତ ମାମଲାକୁ ସେ ତର୍ଜମ‌ା‌ କରି‌ବେ ଏବଂ ମାମଲାକୁ ଏକ ୩ ଜଣିଆ ଖଣ୍ଡପୀଠ ନିକଟରେ ତାଲିକାଭୁକ୍ତ କରିବେ। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକର କିଛି ଛାତ୍ରୀ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧି ପରୀକ୍ଷା‌ ଦେବାପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆବେଦନକାରୀ ଛାତ୍ରୀଙ୍କୁ ଜରୁରୀ ଶୁଣାଣି ନେଇ ଖୁବ୍‌ଶୀଘ୍ର ତାରିଖ ଦେବେ ବୋଲି ପ୍ରଧାନ ବିଚାରପତି ଆଶ୍ବସ୍ତ କରିଛନ୍ତି।ଆବେଦନକାରୀ ଛାତ୍ରୀଙ୍କ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରା କୋର୍ଟରେ ହାଜର ହୋଇଥିଲେ। ଆରୋରା କହିଛନ୍ତି, ରାଜ୍ୟ ସରକାର ହିଜାବ ନିଷିଦ୍ଧ କରିଥିବାରୁ ଅଧିକାଂଶ ଛାତ୍ରୀ କିଛି ଘରୋଇ କଲେଜରେ ନାମ ଲେଖାଇଛନ୍ତି। କିନ୍ତୁ କେବଳ ସରକାରୀ କଲେଜରେ ହିଁ ପରୀକ୍ଷା ହୋଇପାରିବ। ଘରୋଇ କଲେଜ ଗୁଡ଼ିକ ପରୀକ୍ଷା ପରିଚାଳନା କରିପାରି‌ବେନି। ଆସନ୍ତା ଫେବ୍ରୁଆରି ୬ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଥିବାରୁ କୋର୍ଟ ହିଜାବ ମାମଲାର ଜରୁରୀ ଶୁଣାଣି କରି ଏକ ଅନ୍ତରୀଣ ରାୟ ଦେବାପାଇଁ ସେ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ମୁଁ ଏହି ମାମଲା ଉପରେ ବିଚାର କରିବି।