ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ। ଫେବ୍ରୁଆରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କୋଭିଡ ମହାମାରୀ କବଳରେ ପଡ଼ିଥିବା ଅର୍ଥନୀତିକୁ ଉଦ୍ଧାର କରିବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ସବୁ କ୍ଷେତ୍ର ବଜେଟକୁ ନେଇ ଆଶାବାଦୀ । କୋଭିଡ୍ ଦ୍ୱିତୀୟ ଲହର କବଳରୁ ଅର୍ଥନୀତି ଧୀରେ ଧୀରେ ମୁକୁଳୁଛି । ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛି ତୃତୀୟ ଲହର । ଦେଶରେ ଅସମାନତା ବଢ଼ିଛି । ବେରୋଜଗାରୀ ସ୍ତର ଉଚ୍ଚ ରହିଛି । ଲୋକଙ୍କ ପାଖରେ କ୍ରୟ କ୍ଷମତା କମିଛି । ଏଭଳି ସମୟରେ ବଜେଟ୍ ରେ କି ବ୍ୟବସ୍ଥା ରହୁଛି, ତା ଉପରେ ଦେଶବାସୀଙ୍କ ନଜର । ଏଥର ଆୟକର ସ୍ଲାବରେ ପରିବର୍ତ୍ତନ କରିପାରନ୍ତି ଅର୍ଥମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ ହୋଇପାର । ସେହିଭଳି ସର୍ବୋଚ୍ଚ ଟ୍ୟାକ୍ସ ସ୍ଲାବ ହାରକୁ ୩୦ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରାଯାଇପାରେ। ମହାମାରୀ ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଅର୍ଥ ବ୍ୟୟବରାଦ ହୋଇପାରେ ।
ସୂଚନା ଅନୁସାରେ,ବଜେଟ୍ ପ୍ରସ୍ତୁତ କରିବାକୁ ୫ ଜଣ ଅନୁଭବୀ ଓ ଦକ୍ଷ ଅଧିକାରୀଙ୍କୁ ଟିମ୍ ସାମିଲ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଟିମ୍ ଅଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତଥା ବର୍ତ୍ତମାନର ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ତୁହିନକାନ୍ତ ପାଣ୍ଡେ ଓ ୧୯୮୭ର ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ୍ ତଥା ଫାଇନାନ୍ସିଆଲ ସର୍ଭିସେସ୍ ବିଭାଗ ସଚିବ ଦେବାଶିଷ ପଣ୍ଡା।