କଂଗ୍ରେସ ଭବନ ଦୁଆରକୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ ବରିଷ୍ଠ ନେତା ସୁର ରାଉତରାୟ
୯ ମାସ ପରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। କଂଗ୍ରେସ ଭବନ ଦୁଆରକୁ ମୁଣ୍ଡିଆ ମାରି ଭିତରକୁ ଆସିଥିଲେ ସୁର । ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ନବ ନିର୍ବାଚିତ ପିସିସି ସଭାପତିଙ୍କୁ ଭେଟିଛନ୍ତି ସୁର।ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ଘର ବାହୁଡ଼ା ବେଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ।
ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୯ ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ଫେରିଛି ମୋ ମନ୍ଦିରକୁ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି । ଦଳରେ ‘ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ ।
ସୂଚନା ଥାଉକି, ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପକ୍ଷରୁ ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସୂଚନା ଦିଆଯାଇଛି ଯେ, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ୱନ ବା ବହିଷ୍କାର କରାଯାଇଥିଲା ତାହାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡି ଚାଲି ଯାଇଛନ୍ତି ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
ସୂଚନା ଅନୁଯାୟୀ, ଏପ୍ରିଲ ୧୫ ତାରିଖ ୨୦୨୪ ରେ ଦଳରୁ ବିଦା ହୋଇଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । ସୁରେଶ ରାଉତରାୟ କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ କରିଥିଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିଲା ଏଆଇସିସି।