ରାଜ୍ୟର ଗରିବ, ଅସହାୟମାନଙ୍କୁ ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏଭଳି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ରାସନ କାର୍ଡଧାରୀ ମୁଣ୍ଡପିଛା ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ। ଏକକାଳୀନ ୩ ମାସର ଚାଉଳ ହିତାଧିକାରୀଙ୍କୁ ଦିଆଯିବ। ରାଜ୍ୟର ୧ କୋଟିରୁ ଅଧିକ ପରିବାରର ପ୍ରାୟ ୩.୨୮ କୋଟି ଲୋକ ଏହାଦ୍ବାରା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୮୮୧୩ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଭାର ପଡ଼ିବ। ଆଗରୁ ସୁଭଦ୍ରା ପ୍ରତି ଘରେ ପହଞ୍ଚିଥିଲା, ଏବେ ଅନ୍ନପୂର୍ଣ୍ଣା ପ୍ରତି ଘରେ ପହଞ୍ଚିବ। ସାରା ଓଡ଼ିଶା ସୁଖ, ସମୃଦ୍ଧିରେ ଭରିଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆଠାରେ ‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ବିକାଶକୁ ବହୁଗୁଣିତ କରିବା ସହ ଗରିବ, ମଧ୍ୟବିତ୍ତ, ଅସହାୟଙ୍କ ସେବାରେ ଆମେ ନିଜକୁ ସମର୍ପିତ କରିଛୁ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଏହାର ଉଦାହରଣ। ଓଡ଼ିଶାର ପ୍ରତ୍ୟେକ ପରିବାରର ଭାତହାଣ୍ଡିକୁ ସୁରକ୍ଷିତ ରଖିବା ଆମର ଲକ୍ଷ୍ୟ। କାହାରିକୁ ଭୋକରେ ଶୋଇବାକୁ ଦେବାନି ହେଉଛି ଆମର ପଣ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିବା ପୂର୍ବରୁ ଜଣେ ବୟସ୍କ କେତେ ଚାଉଳ ଆବଶ୍ୟକ କରିଥାନ୍ତି, ଆମେ ଆକଳନ କରିଥିଲୁ। ହିସାବରେ ପ୍ରତ୍ୟେକ ବୟସ୍କଙ୍କ ପାଇଁ ୮ କେଜି ଚାଉଳ ଆବଶ୍ୟକ ବୋଲି ଜାଣିବାକୁ ପାଇଥିଲୁ। ଏହି ଅସୁବିଧାର ଉପଲବ୍ଧି କରି ରାଜ୍ୟବାସୀଙ୍କ ପାଇଁ ୧୦ କେଜି ଚାଉଳ ବ୍ୟବସ୍ଥା କରାଯାଇଛି।