ଆସ୍ଥାଭୋଟ୍ ଛକାପଞ୍ଝା
ବିହାରର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବେଶ୍ ସରଗରମ ରହିଛି। ଆସନ୍ତାକାଲି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଫ୍ଲୋର୍ ଟେଷ୍ଟ୍ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଆସ୍ଥାଭୋଟ୍ ପୂର୍ବରୁ ବିଜେପି, ଜେଡିୟୁ, ଆର୍ଜେଡି ଓ କଂଗ୍ରେସ ସେମାନଙ୍କ ବିଧାୟକଙ୍କୁ ଏକଜୁଟ ରଖିବାକୁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଦଳର ନେତାମାନେ ତୁହାକୁ ତୁହା ରୁଦ୍ଧଦ୍ବାର ବୈଠକ କରୁଥିବା ବେଳେ ଆଜି ହାଇଦ୍ରବାଦରୁ କଂଗ୍ରେସ ବିଧାୟକମାନେ ଫେରିଛନ୍ତି। ଜେଡିୟୁର ୩ ଜଣ ବିଧାୟକ ଦଳର ଏକ ବୈଠକରେ ସାମିଲ ହୋଇନଥିବାରୁ ଏହାକୁ ନେଇ ଗତକାଲିଠାରୁ ତୀବ୍ର ଛକାପଂଝା ଦେଖିବାକୁ ମିଳିଛି। ଉକ୍ତ ବିଧାୟକମାନେ ଧରାଛୁଆଁ ଦେଉନଥିବା ବେଳେ ସେମାନେ ଆର୍ଜେଡି ସହିତ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି ।ଏକଜୁଟ ରଖିବା ପାଇଁ ଦଳ ବ୍ୟବସ୍ଥା କରିଛି। ତେଜସ୍ୱୀଙ୍କ ଘରେ ଦଳର ୭୮ ବିଧାୟକ ଉପସ୍ଥିତ ଅଛନ୍ତି। ବିଜେପି ପ୍ରଶିକ୍ଷଣ ଶିବିର ବାହାନାରେ ନିଜ ବିଧାୟକମାନଙ୍କୁ ଗୟା ପଠାଇଥିଲା ଏବଂ ସେମାନେ ଆଜି ସନ୍ଧ୍ୟାରେ ପାଟନା ଫେରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ନୀତୀଶଙ୍କୁ ୧୨୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ।ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ରାମ ମାଂଝିଙ୍କ ଦଳ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ୪ ବିଧାୟକ ଥିବା ବେଳେ ଆସନ୍ତାକାଲି ମାଂଝିଙ୍କ ରଣନୀତି କ’ଣ ରହିବା ତାହା ଉପରେ ବି ସମସ୍ତଙ୍କ ନଜର ରହିଛି। ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଇସ୍ତଫା ଦେବେନାହିଁ ବୋଲି ଘୋଷଣା କରିଥିବାରୁ ଏହାକୁ ନେଇ ମଧ୍ୟ ଜଟିଳ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।