ଆଜିଠୁ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

nominations-for-the-municipal-election-from-today

ମେଟ୍ରୋ ଟିଭି ଓଡିଶା (୨ .୩ .୨୦୨୨) : ଆଜିଠୁ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହୋଇଛି । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ପୁରୀ ମ୍ୟୁନିସିପାଲିଟିରେ ଏବେ ନିର୍ବାଚନ ହେବ ନାହିଁ । ୧୦୬ଟି ପୌର ପରିଷଦରେ ନିର୍ବାଚନ ହେବ। ସେଭିତରୁ ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏନସି । ସେହିପରି ୩ଟି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ହେବ ନିର୍ବାଚନ ।

ପ୍ରଥମ ଥର ପାଇଁ ସିଧାସଳଖ ମେୟର ଓ ପୌର ଅଧ୍ୟକ୍ଷ ନିର୍ବାଚନ ହେବ । ୧୦୬ଟି ପୌରପରିଷଦର ୧୭ଶହ ୩୧ ଓ୍ଵାର୍ଡରେ ୩ ହଜାର ୩୦ ବୁଥ୍‌ ରହିଛି । ୨୭ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ସେହିପରି ୩ଟି ପୌର ନିଗମରେ ୧୬୮ଟି ଓ୍ଵାର୍ଡ ରହିଛି । ୩ ପୌର ନିଗମରେ ୧୪ଶହ ୭ଟି ବୁଥ୍‌ ଥିବା ବେଳେ ୧୪ ଲକ୍ଷ ୨୬ ହଜାର ଭୋଟର ଅଛନ୍ତି ।

ନିର୍ବାଚନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ସହିତ ଦୁଇଟି ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସଂପତ୍ତି ତାଲିକା ଉଲ୍ଲେଖ ରହିବ । ସେହିପରି ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଜୀବିତ ଓ ଦୁଇରୁ ଅଧିକ ସନ୍ତାନ ନଥିବା ସଂପର୍କରେ ଉଲ୍ଲେଖ କରିବାକୁ ପଡ଼ିବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଇଭିଏମରେ ନୋଟା ବ୍ୟବସ୍ଥା ରହିବ ।