ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ଓଡ଼ିଶା ଛାଡି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିବେ
୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପଛର ଚେହେରା ସାଜିଥିବା ଭି.କେ ପାଣ୍ଡିଆନ ଖୁବଶୀଘ୍ର ବିଜେଡି ସହ ସମ୍ପର୍କ ତୁଟାଇ ପାରନ୍ତି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭି.କେ ପାଣ୍ଡିଆନ ଓଡ଼ିଶା ଛାଡି ଏକ ଅର୍ନ୍ତଜାତୀୟ ସଂସ୍ଥାରେ କାମ କରିବେ ବୋଲି କୁହାଯାଉଛି । ଏହି ରିପୋର୍ଟ କେତେ ସତ କେତେ ମିଛ ତାହା ଏଯାଏଁ ଅସ୍ପଷ୍ଟ ଥିବା ବେଳେ ପାଣ୍ଡିଆନଙ୍କୁ ନେଇ ବିଜେଡି ଶିବିରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ପୂର୍ବଭଳି ଦଳୀୟ ବ୍ୟାପାର ଓ ନୀତି ନିଷ୍ପତ୍ତିରେ ପାଣ୍ଡିଆନ ସେତେଟା ସକ୍ରିୟ ନାହାନ୍ତି।
ଗତବର୍ଷ ଜୁନ୍ ୯ ତାରିଖରେ ବିଜେଡିର ନିର୍ବାଚନ ପରାଜୟର ଦୋଷ ମୁଣ୍ଡାଇ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ପାଣ୍ଡିଆନ । ନିର୍ବାଚନ ସମୟରେ ଦଳର ପୋଷ୍ଟରବୟ ଥିବା ପାଣ୍ଡିଆନ ନିର୍ବାଚନ ପରେ ସତେ ଯେମିତି ଅଜ୍ଞାତବାସକୁ ଚାଲିଯାଇଥିଲେ । କାଁ ଭାଁ ସାମାଜିକ କାର୍ଯ୍ୟକ୍ରମକୁ ଛାଡିଦେଲେ ପାଣ୍ଡିଆନ ସର୍ବସମ୍ମୁଖକୁ ଆସୁନଥିଲେ । କିନ୍ତୁ ନବୀନ ନିବାସରୁ ରହି ଦଳକୁ ଅପରେଟ କରୁଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ବିଜେଡି ଭିତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। କିଛି ବରିଷ୍ଠ ନେତା ମେଳି କରି ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରିବା ସହ ନବୀନଙ୍କ ନିକଟରେ ଫେରାଦ ହୋଇଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଥିଲା । ତେଣୁ ଦଳରେ ବଡ ବିସ୍ଫୋରଣ ହେବା ପୂର୍ବରୁ ପାଣ୍ଡିଆନଙ୍କୁ ନେଇ ଏଭଳି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ରୋଚକ କରିଛି।
ଦିଲ୍ଲୀରୁ ଫେରିବା ପରେ ଓଡ଼ିଶା ରାଜନୀତିରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରାଜନୀତିରେ ଚର୍ଚ୍ଚା କିଛି ନୂଆ କଥା ନୁହେଁ । କିନ୍ତୁ ପାଣ୍ଡିଆନ ଏ ପ୍ରସଙ୍ଗରେ ମୁହଁ ନଖୋଲିବା ଏ ଚର୍ଚ୍ଚାକୁ ବଳ ଦେଉଛି ।