ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ,ଅପହରାହ୍ଣ ୫ଟାରେ ଭୋଟ ଗଣତି
ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ। ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଆରମ୍ଭ ହୋଇଛି । ପ୍ରଥମ ଭୋଟ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଅପହରାହ୍ଣ ୫ଟାରେ ଭୋଟ ଗଣତି ହେବ । ୪ ଆସନ ପାଇଁ ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ ।
ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଜଣାଇଥିବା ବେଳେ ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । ତାଙ୍କୁ ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ ହେଉଛି ରୋଚକ ଲଢ଼େଇ । ଚତୁର୍ଥ ଆସନ ପାଇଁ ବିଜେପି ପାଖରେ ୨୨ ବଳକା ଭୋଟ ରହିଛି । କିନ୍ତୁ ବିଜେଡି ଓ କଂଗ୍ରେସ ପାଖରେ ରହିଛି ୩୩ ଭୋଟ । ଚତୁର୍ଥ ଆସନ ପାଇଁ ଗତ କିଛି ଦିନ ହେଲା ରଣନୀତି ଚଳାଇଥିଲେ ବିଜେପି, ବିଜେଡି ଓ କଂଗ୍ରେସ। ନିୟମ ଅନୁସାରେ ବିଧାୟକମାନେ କାହାକୁ ଭୋଟ ଦେଲେ ସେମାନେ ନିଜ ନିଜ ଦଳର ଏଜେଣ୍ଟଙ୍କୁ ଦେଖାଇବେ । ନହେଲେ ଭୋଟ ନାକଚ ହେବ । ବିଜେପିର ଏଜେଣ୍ଟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପୃଥ୍ବୀରାଜ ହରିଚନ୍ଦନ ହୋଇଛନ୍ତି । ବିଜେଡିର ଏଜେଣ୍ଟ ପ୍ରତାପ ଦେବ ଓ କଂଗ୍ରେସ ଏଜେଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି ଭକ୍ତ ଚରଣ ଦାସ ।