୮ ମହିଳା ବନ୍ଦୀଙ୍କୁ ମୁକ୍ତ କରୁ ଇରାନ: ନିବେଦନ କଲେ ଟ୍ରମ୍ପ, କହିଲେ ଆଲୋଚନା ପାଇଁ ଏହା ହେବ ଶୁଭାରମ୍ଭ


ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ପର୍କର ସୁଧାର ପାଇଁ ଏକ ବଡ଼ ସର୍ତ୍ତ ବା ନିବେଦନ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନରେ ବନ୍ଦୀ ଥିବା ଏବଂ ମୃତ୍ୟୁଦଣ୍ଡର ସମ୍ଭାବନାର ସମ୍ମୁଖୀନ ହେଉଥିବା ୮ ଜଣ ମହିଳାଙ୍କୁ ମୁକ୍ତ କରିବା ପାଇଁ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ବିଶ୍ୱ ସମୁଦାୟର ନୀରବତାକୁ ନେଇ ପ୍ରଶ୍ନ ଉଠାଇବା ସହ ଇରାନୀ ନେତାମାନଙ୍କୁ ଏହି ମହିଳାଙ୍କ କ୍ଷତି ନପହଞ୍ଚାଇବାକୁ ସେ ଅନୁରୋଧ କରିଛନ୍ତି।ରାଷ୍ଟ୍ରପତି ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି, “ମୁଁ ଇରାନର ନେତାମାନଙ୍କୁ କହିବି, ଯେଉଁମାନେ ଖୁବ୍ ଶୀଘ୍ର ଆମେରିକୀୟ ପ୍ରତିନିଧିମଣ୍ଡଳ ସହିତ ଆଲୋଚନା କରିବାକୁ ଯାଉଛନ୍ତି, ଯଦି ଆପଣ ଏହି ମହିଳାଙ୍କୁ ମୁକ୍ତ କରନ୍ତି, ତେବେ ମୁଁ ଏହାକୁ ବହୁତ ପ୍ରଶଂସା କରିବି।” ଏହା ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଆଲୋଚନା ପାଇଁ ଏକ ‘ଉତ୍କୃଷ୍ଟ ଆରମ୍ଭ’ ହେବ ବୋଲି ସେ ଦର୍ଶାଇଛନ୍ତି। ଆମେରିକା ଏବେ ଇରାନ ସହ ଆଲୋଚନା ଟେବୁଲକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକ ବଡ଼ କୂଟନୈତିକ ଚାପ ଭାବେ ଦେଖାଯାଉଛି।ରିପୋର୍ଟ ଅନୁଯାୟୀ, ଗତ ଜାନୁଆରୀ ମାସରେ ଇରାନରେ ହୋଇଥିବା ଗଣ-ବିରୋଧ ପ୍ରଦର୍ଶନ ସମୟରେ ଏହି ୮ ଜଣ ମହିଳାଙ୍କୁ ଗିରଫ କରାଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀ ଆୟଲ୍ ୟାକୋବି ପ୍ରଥମେ ଏହି ମହିଳାମାନଙ୍କ ଫଟୋ ସେୟାର କରି ଦାବି କରିଥିଲେ ଯେ, ଇସଲାମିକ୍ ଗଣରାଜ୍ୟ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଛି। ତେବେ ଇରାନର ଆଟର୍ଣ୍ଣି ଜେନେରାଲ ଏହି ମୃତ୍ୟୁଦଣ୍ଡ ଖବରକୁ ମିଥ୍ୟା ବୋଲି କହି ଖାରଜ କରିଦେଇଛନ୍ତି।ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ସାରା ବିଶ୍ୱରେ ମାନବାଧିକାର ସଂଗଠନଗୁଡ଼ିକର ନୀରବତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ଏବେ ଏହି ମୁଦ୍ଦାକୁ କେବଳ ମାନବିକତା ନୁହେଁ, ବରଂ ଇରାନ ସହ ହେବାକୁ ଥିବା ଶାନ୍ତି ଆଲୋଚନାର ଏକ ପ୍ରମୁଖ ଅଂଶ ଭାବେ ଗ୍ରହଣ କରିଛି।

Leave a comment