୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ନେତା ତେଜସ୍ୱୀ ଯାଦବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମତଦାନ ଏବଂ ଫଳାଫଳ ଘୋଷଣା ପୂର୍ବରୁ ଶେଷରେ ମେଣ୍ଟ ଦଳମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ବୀକାର କରିଛନ୍ତି ।  ବିହାର ନିର୍ବାଚନ ତାରିଖ ଘୋଷଣା ପରେ କିଏ ମହାଗଠବନ୍ଧନର ପ୍ରାର୍ଥୀ ବୋଲି ଏନଡିଏ ପକ୍ଷରୁ ପ୍ରଶ୍ନ କରାଯାଉଥିଲା ।  ପାଟନାରେ ମହାଗଠବନ୍ଧନର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଆଜି ତେଜସ୍ବୀଙ୍କ ନାମ  ଘୋଷଣା କରାଯାଇଛି ।  ମହାଗଠବନ୍ଧନର ସମସ୍ତ ନେତା କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ, ଏକ ପୋଷ୍ଟର ଆଲୋଚନାର ବିଷୟ ପାଲଟିଥିଲା। ଯେଉଁଥିରେ କେବଳ ତେଜସ୍ବୀ ହିଁ ଫଟୋରେ ଥିଲେ ।

ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜାରି ହୋଇଥିବା ପୋଷ୍ଟରରେ, ତେଜସ୍ୱୀ ଯାଦବଙ୍କୁ ଏକ ରାଜକୀୟ ଚୌକିରେ ଏକା ବସିଥିବା ଦେଖାଯାଇଥିଲା । ଚେୟାରର ଉଭୟ ହ୍ୟାଣ୍ଡେଲରେ ସିଂହ ମୂର୍ତ୍ତି ଦେଖାଯାଉଛି। ତେଜସ୍ୱୀ ଯାଦବ ଧଳା କୁର୍ତ୍ତା, ପାଇଜାମା ଏବଂ କଳା ଚପଲ ପିନ୍ଧିଥିବା ଦେଖାଯାଉଛି। ପୋଷ୍ଟରରେ ତେଜସ୍ୱୀ ଯାଦବ ହସୁଥିବା ଦେଖାଯାଉଛି। ପ୍ରଥମ ନଜରରେ, ଏହା ଦେଖାଯାଉଛି ଯେପରି ତେଜସ୍ୱୀ ଯାଦବ ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି।

ପୋଷ୍ଟରରେ ସ୍ଲୋଗାନ ଦିଆଯାଇଛି: “ବିହାର ଚାହୁଁଛି ତେଜସ୍ୱୀ ସରକାର ।”  ସୂଚନାଯୋଗ୍ୟ ଯେ ମହାଗଠବନ୍ଧନରେ ଅନ୍ୟ ଦଳଗୁଡ଼ିକ  କଂଗ୍ରେସ, ବାମପନ୍ଥୀ ଏବଂ ଭିଆଇପି ଅଛନ୍ତି । ଅନ୍ୟପକ୍ଷରେ, NDA ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଚିରାଗ ପାଶୱାନ, ଜିତନ ମାଞ୍ଝି, ଉପେନ୍ଦ୍ର କୁଶୱାହା ଇତ୍ୟାଦି ନେତାଙ୍କ  ଫଟୋ ରହିଛି। ମହାମେଣ୍ଟ ପକ୍ଷରୁ ୨୫୨ ସିଟରେ ପ୍ରାର୍ଥୀ ଦିଆଯାଇଛି । ଆରଜେଡି ୧୪୩, କଂଗ୍ରେସ ୬୧, ସିପିଆଇ ଏମଏଲ ୨୦, ସିପିଆଇ ୯, ସିପିଏମ ୪, ଭିଆଇପି ୧୫ ପ୍ରାର୍ଥୀ ରହିଛନ୍ତି । ଆରଜେଡି-କଂଗ୍ରେସ ୫ ସିଟରେ ଓ କଂଗ୍ରେସ-ସିପିଆଇ ୪ ସିଟରେ ମୁହାଁମୁହିଁ ହୋଇଛନ୍ତି  ।

ମଞ୍ଚରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଏହି ସମୟରେ ମୁକେଶ ସହାନି କହିଛନ୍ତି, ମୁଁ ସାଢେ ତିନି ବର୍ଷ ହେଲା ଏହି ଦିନକୁ ଅପେକ୍ଷା କରିଥିଲି । ଏବେ ସେହି ସମୟ ଆସିଯାଇଛି ।

କଂଗ୍ରେସର ପ୍ରଦେଶ ସଭାପତି ରାଜେଶ ରାମ କହିଛନ୍ତି ମହାମେଣ୍ଟ ମଜବୁତ ରହିଛି । ଆମର ହିଁ ସରକାର ଗଠନ ହେବ । ଦୀପଙ୍କର କହିଛନ୍ତି, ମହାମେଣ୍ଟରେ ୭ଟି ଦଳ ରହିଛି । ବିହାରରେ ଏଥର ସରକାର ପରିବର୍ତ୍ତନ ହେବ । ଅଶୋକ ଗେହଲଟ କହିଛନ୍ତି, ବିହାରରେ ଗଣତନ୍ତ୍ର ବିପଦରେ ରହିଛି । ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି ।

Leave a comment