୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି – ଶାହଙ୍କ ଦମ୍ଭୋକ୍ତି

ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ । ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି- ଆମେ ୨୦୨୫ରେ ଦିଲ୍ଲୀରେ ସରକାର ଗଢିଲୁ । ୨୦୨୬ରେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଜେପି ସରକାର ଗଢିବାକୁ ଯାଉଛି । କିଛିଦିନ ତଳେ କୋଲକାତା ଗସ୍ତରେ ଥିବା ଶାହ ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟୁଥିବା କହିଥିବା ବେଳେ ପୁଣି ସେହି କଥାକୁ ତାମିଲନାଡୁରେ ଦୋହରାଇ ପଶ୍ଚିମବଙ୍ଗ ସହ ତାମିଲନାଡୁରେ ବି ବିଜେପି ସରକାର ଗଢୁଥିବା ସେ ଦମ୍ଭ ଦେଖାଇଛନ୍ତି ।ଏଥିସହ ମଦୁରାଇରେ ଷ୍ଟାଲିନ୍ ସରକାରଙ୍କୁ ନିଶାନା କରିଛନ୍ତି ଶାହ । ଦୁର୍ନୀତିର ସବୁ ସୀମା ଟପିଗଲାଣି ଡିଏମକେ ସରକାର । ଗତ ୪ ବର୍ଷ ଭିତରେ ଗରିବଙ୍କୁ ଶୋଷଣ, ବାଲି ଦୁର୍ନୀତି ଭଳି ବଡ ବଡ଼ ସ୍କାମରେ ଲିପ୍ତ ରହିଥିବା ଷ୍ଟାଲିନ୍ ସରକାର ଏଥର ଗାଦି ହରାଉଛି ଆଉ ତାମିଲନାଡୁରେ ବିଜେପି ସରକାର ଗଢୁଛି ବୋଲି କହିଛନ୍ତି ଶାହ ।ଓଡ଼ିଶା, ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବିଜେପିର ବିଜୟ ପରେ ଆତ୍ମବିଶ୍ୱାସ ସହ ଆଗକୁ ବଢୁଥିବା ବିଜେପି ଆସନ୍ତାବର୍ଷ ନିର୍ବାଚନରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ସରକାର ଗଠନ କରିବାର ଦମ୍ଭୋକ୍ତି ରାଜନୀତିରେ ହଟଚମଟ ସୃଷ୍ଟି କରିଛି । କାରଣ ବିଭିନ୍ନ ରାଜ୍ୟକୁ ଗେରୁଆ କରିବାରେ ସଫଳ ହେଲାଣି ବିଜେପି ।

Leave a comment