ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି , ଫଳରେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ
ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଫଳରେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହାପରେ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।
ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ, ଏବଂ ୧୪ରେ ଭୋଟ ଗଣତି କରାଯାଇ, ଫଳାଫଳ ପ୍ରକାଶ ପାଇବ । ୧୬ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନୂଆପଡାରେ ୩୫୮ଟି ମତଦାନ କେନ୍ଦ୍ର ରହିଛି । ସବୁ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ ବ୍ୟବସ୍ଥା କରାଯିବ । ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।
ପ୍ରକାଶଥାଉକି, ନୂଆପଡ଼ା ଉପ-ନିର୍ବାଚନରେ ୧,୨୪,୧୦୮ ପୁରୁଷ, ୧,୨୯,୪୯୫ ମହିଳା, ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟରଙ୍କୁ ମିଶାଇ ମୋଟ ୨,୫୩,୬୨୪ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଗତ ୯ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ଅନୁସାରେ, ଏହି ନିର୍ବାଚନ ମଣ୍ଡଳୀରେ ଯୁବ ଭୋଟରଙ୍କ ଅନୁପାତ ୨.୪୨% ଥିବାବେଳେ ଚୂଡାନ୍ତ ଭୋଟର ତାଲିକାରେ ଏହା ବୃଦ୍ଧି ପାଇ ୩.୭୨%ରେ ପହଞ୍ଚିଛି। ଚଳିତ ଉପ-ନିର୍ବାଚନରେ ଯୁବ ଭୋଟର ଏକ ପ୍ରକାର ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।
ସେପଟେ ନୂଆପଡ଼ା ଉପ-ନିର୍ବାଚନ ପାଇଁ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରୁଛି। ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହିତ ଗାଁ ଗାଁରେ ଛୋଟବଡ଼ ସଭା ସମିତି କରି ପ୍ରଚାର ଆରମ୍ଭ କରି ଦେଲାଣି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କର ନିଜ ପକେଟ୍ ଭୋଟ ସହ ଦଳୀୟ ଭୋଟ ମଧ୍ୟ ରହିଛି। ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ, ସେଥିନେଇ ଦଳରେ ମାନସ ମନ୍ଥନ ଚାଲିଛି। ଏନେଇ ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର କିଛି ବରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଛନ୍ତି। ଏଣେ ଜୟ ବିଜେପିରେ ମିଶିବା ପରେ ନୂଆପଡ଼ା ବିଜେପିରେ କିଛିଟା ଅସନ୍ତୋଷ ଦେଖାଦେଇଛି। ବୁଥ୍ ସଭାପତିଙ୍କ ସହ କର୍ମୀମାନେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। କିନ୍ତୁ ଜୟଙ୍କ ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଉପସ୍ଥିତ ରହି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ଆଉ ଏକ ପଦ୍ମ ପାଖୁଡ଼ା ଫୁଟିବ ବୋଲି ଗଣମାଧ୍ୟମକୁ କହିଛନ୍ତି।