ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ – ନବୀନ
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି। ଜନପ୍ରତିନିଧିମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅସାମାଜିକ ବ୍ୟକ୍ତି ତଥା କାର୍ଯ୍ୟକଳାପକୁ ରୋକିବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା, ସ୍ଥାଣୁ ତଥା ଏକପାଖିଆ ମନୋଭାବ ଏପରି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି। ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
ଉଲ୍ଲେଖ ଥାଉ କି ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ହାତ ଅଛି ବୋଲି ପ୍ରଣବ ବଳବନ୍ତରାୟ ଅଭିଯୋଗ ଆଣିଛନ୍ତି। ପ୍ରଣବ ଅଭିଯୋଗ କରିଥିଲେ ଯେ
ପୁଲିସ ଉପରେ ମୋର ବିଶ୍ୱାସ ନାହିଁ। ମୁଁ ଥାନାରେ ଏତଲା ଦେବି ନାହିଁ ବୋଲି ସେ କହିଥିଲେ। ଅନ୍ୟପଟରେ ଧର୍ମଶାଳା ବିଧାୟକ ତଥା ବିଜେପି ନେତା ହିମାଂଶୁ ସାହୁ କହିଥିଲେ, ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ନେଇ ମୋର କୌଣସି ଧାରଣା ନାହିଁ। ମୁଁ ଓଡ଼ିଶା ବାହାରେ ଅଛି।
ବିଜୁ ଜନତା ଦଳର କର୍ମୀମାନେ ତାଙ୍କ ଭିତରେ ମାଡ଼ଗୋଳ ହୋଇଛନ୍ତି। ମୋ ନା କିଏ କାହିଁକି ନଉଛି ମୁଁ ଜାଣି ନାହିଁ। ମୋ ପାଖକୁ ଖବର ଆସିବା ପରେ ସଂଗେସଂଗେ ଏସଡିପିଓ ଏବଂ ଆଇଆଇସିଙ୍କୁ କହିଛି। ଝଗଡା ବନ୍ଦ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଇନ ତା ବାଟରେ କାମ କରିବ। ବିଜୁ ଜନତା ଦଳର ଭୁବନେଶ୍ୱରର କନ୍ଦଳ ବର୍ତ୍ତମାନ ଗ୍ରାମାଞ୍ଚଳ, ପଂଚାୟତସ୍ତରରେ ପହଂଚିଲାଣି। ସେଠାରେ ଗୋଷ୍ଠୀ ହୋଇଛି ଆଉ ଏଠାରେ ମଧ୍ୟ ଗୋଷ୍ଠୀ ହୋଇ ମାଡଗୋଳ ଆରମ୍ଭ ହେଲାଣି।