ସଂସଦର ସୁରକ୍ଷାରେ ତ୍ରୁଟି : ନିଲମ୍ବିତ ହେଲେ ୭ କର୍ମଚାରୀ
ସଂସଦର ଶୀତକାଳୀନ ଅଧିବେଶନ ସୁରକ୍ଷାରେ ତ୍ରୁଟି । ଲୋକସଭା ସଚିବାଳୟର ୭ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନିରାପତ୍ତା ଉଲ୍ଲଂଘନ ହେବା ପରେ ଗୃହରେ ହୋହଲ୍ଲା ସୃଷ୍ଟି ହୋଇଥିଲା। ତେବେ ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍। ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ। ଏହା ସହ ସଂସଦର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏବେ ସଂସଦ ଭବନକୁ ଭିଜିଟର୍ସମାନଙ୍କ ନଆସିବାକୁ ବାରଣ କରାଯାଇଛି। ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି। ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ। ଏହାବ୍ୟତୀତ, ଯେତେବେଳେ ଭିଜିଟର୍ସମାନେ ପୁନର୍ବାର ଆସିବା ଆରମ୍ଭ କରିବେ, ସେମାନେ ପୁରୁଣା ଫାଟକ ଦେଇ ପ୍ରବେଶ କରିପାରିବେ ନାହିଁ। ପରିଦର୍ଶକମାନେ ଏବେ ଚତୁର୍ଥ ଫାଟକରୁ ସଂସଦ ଭବନରେ ପ୍ରବେଶ କରିବେ।