ନଭେମ୍ବର ୪ ତାରିଖରେ ଜେଏନୟୁ ନିର୍ବାଚନ
ସାରା ଭାରତର ଛାତ୍ର ରାଜନୀତିରେ ଗୁରତ୍ୱ ବହନ କରୁଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ବିଶ୍ୱବିଦ୍ୟାଳୟର ନିର୍ବାଚନ ସମିତି ତରଫରୁ ତାରିଖ ଘୋଷଣା କରାଯାଇଛି । ଦୀର୍ଘଦିନର ଅପେକ୍ଷା ପରେ ଜାରି ହୋଇଥିବା ନୋଟିସରେ ସ୍ପଷ୍ଟ ହୋଇଛି କି, ନଭେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ଓ ନଭେମ୍ବର ୬ ତାରିଖରେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଟି ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ମୁତାବକ ନିର୍ବାଚନ ପ୍ରକ୍ରିୟାର ଆରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବ । ଏହି ଦିନ ମତଦାତା ସୂଚୀ ଜାରି କରାଯିବ । ଏବଂ ମତଦାତା ସୂଚୀରେ ଥିବା ତ୍ରୁଟି ସୂଧାର କରାଯିବ । ଏହି କାମ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କରାଯିବ । ଏହାପରେ ଅକ୍ଟୋବର ୨୫ ତାରିଖରେ ନାମାଙ୍କନ ଫର୍ମ ଆଶାୟୀ ପ୍ରର୍ଥୀଙ୍କ ପାଇଁ ଉପଲବ୍ଧ ହେବ । ସେହିଭଳି ଅକ୍ଟୋବର ୨୭ ରୁ ନାମାଙ୍କନ ଏବଂ ୨୮ ଅକ୍ଟୋବରରେ ବୈଧ ନାମାଙ୍କନ ସୂଚୀ ଜାରି କରାଯିବ । ସେହିଦିନ ମଧ୍ୟାହ୍ନ ୨ ଟାରୁ ୫ ଟା ମଧ୍ୟରେ ନାମାଙ୍କନ ପତ୍ୟାହାର ପାଇଁ ସୁଯୋଗ ଦିଆଯିବ । ସେହିଦିନ ରାତି ୮ ଟାରେ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରାର୍ଥୀଙ୍କ ପରିଚୟ ଓ ନିର୍ବାଚନ ପ୍ରଚାର ପାଇଁ ସ୍ଥାନ ଆବଣ୍ଟନ କରାଯିବ । ସେପଟେ ନଭେମ୍ବର ୪ ତାରିଖରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ସକାଳ ୯ ରୁ ମଧ୍ୟାହ୍ନ ୧ ଟା ଓ ଦ୍ୱିତୀୟ ପର୍ଯ୍ୟାୟ ୨.୩୦ ରୁ ୫.୩୦ ପର୍ଯ୍ୟନ୍ତ । ମତଦାନ ସରିବା ପରେ ରାତି ୯ ଟାରୁ ଭୋଟ ଗଣନା ହେବ । ହେଲେ ଏହାର ପରିଣାମ ନଭେମ୍ବର ୬ ତାରିଖରେ ହେବ । ଏହି ଘୋଷଣା ସରିବା ପରେ ଜେଏନୟୁ ଭିତରେ ରାଜନୀତି ସରଗରମ ହେବାରେ ଲାଗିଛି । ଯଦି କହିବା ତେବେ ଜେଏନୟୁ ବିଶେଷ କରି ବାମଦଳ ସହ ଜଡ଼ିତ ଛାତ୍ର ସଂଗଠନ ଦଖଲରେ ରହିଆସୁଛିି । କେବେ କେବେ ଜେଏନୟୁ ଛାତ୍ର ସଂଘ ନିର୍ବାଚନ ବି କଂଗ୍ରେସ ସମର୍ଥିତ ଛାତ୍ର ସଂଘର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଜେଏନୟୁ ଛାତ୍ର ରାଜନୀତିରୁ ଅନେକ ନେତା ଏବେ ଭାରତର ମୁଖ୍ୟ ରାଜନୀତିରେ ସାମିଲ ହୋଇ ବଡ଼ ବଡ଼ ପଦରେ ରହିଛନ୍ତି ।