ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା
ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ରବୀନ୍ଦ୍ର ବିଜେପିରେ ଯୋଗଦେଲେ । ଏହି ମିଶ୍ରଣ ପର୍ବରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ମଞ୍ଚରେ ଉପସ୍ଥିତ ଥିଲେ । ରବୀନ୍ଦ୍ର ଜେନାଙ୍କ ସହିତ ପଞ୍ଚାୟତ, ବ୍ଲକ୍ ସ୍ତରୀୟ ବିଜେଡି ନେତା ଓ ଛାତ୍ର ନେତା ବି ବିଜେପିରେ ମିଶିଛନ୍ତି ।
ବୁଧବାର ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ବିରାଟ ପଟୁଆରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରେ ପହଞ୍ଚିଥିଲେ । ରାଜ୍ୟ ବିଜେପି ପକ୍ଷରୁ ରବୀନ୍ଦ୍ର ଜେନାଙ୍କ ସମେତ ଅନ୍ୟ ନେତା ମାନଙ୍କୁ ବିଜେପିକୁ ସ୍ୱାଗତ କରାଯାଇଥିଲା । ତେବେ ପଦ୍ମ ଶିବିରରେ ରବୀନ୍ଦ୍ର ଜେନା ଯୋଗଦେବା ପରେ ବାଲେଶ୍ୱରରେ ବିଜେପି ଆହୁରି ଶକ୍ତିଶାଳୀ ହେଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି ।
ଏକଦା ରବୀନ୍ଦ୍ର ଜେନା ଜିଲ୍ଲା ବିଜେଡିରେ ଏକ ପ୍ରମୁଖ ଚେହେରା ଥିଲେ । ୨୦୧୪ରେ ସେ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେବେଠାରୁ ସେ ଜିଲ୍ଲା ବିଜେଡି ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱକୁ ଗୁରୁତ୍ୱ ଦେଇ ଦଳ କ୍ରମାଗତ ୨ଥର ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲା । ଦଳକୁ ମଜଭୁତ କରିବା ପଛରେ ତାଙ୍କର ଅବଦାନ ମଧ୍ୟ ଥିଲା ।
ଏସବୁ ସତ୍ତ୍ୱେ ବିଭିନ୍ନ କାରଣ ପାଇଁ ରବୀନ୍ଦ୍ର ଜେନାଙ୍କୁ ନେଇ ଜିଲ୍ଲାରେ ବିଜେଡି ୨ ଫାଳ ହୋଇଯାଇଥିଲା । ଏହାର ପ୍ରଭାବ ୨୦୧୯ ନିର୍ବାଚନ ଉପରେ ପଡ଼ିଥିଲା । ଫଳସ୍ୱରୂପ ଦଳୀୟ ଗୋଷ୍ଠୀ କନ୍ଦଳ ପାଇଁ ରବୀନ୍ଦ୍ର ଜେନା ୨୦୧୯ ନିର୍ବାଚନରେ ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିକଟରୁ ମାତ୍ର ୧୨ ହଜାର ୯୫୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏହି ନିର୍ବାଚନ ପରଠୁ ବାଲେଶ୍ୱରରେ ବିଜେଡି ସମ୍ପୂର୍ଣ୍ଣ ଦୁଇ ଫାଳ ହୋଇଥିଲା । ବିଭିନ୍ନ ସମୟରେ ଏହାର ସମାଧାନ ପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଯେତେ ଚେଷ୍ଟା କରିଥିଲେ ହେଁ, ତାହାର ସୁଫଳ ମିଳିନଥିଲା ।