ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ତାରିଖ ଘୋଷଣା ହୋଇଛି । ଏହି ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ ନାଗାଲାଣ୍ଡ,ମେଘାଳୟରେ ଫେବ୍ରୁଆରି ୨୭ରେ ବିଧାନସଭା ନିର୍ବାଚନ  ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି । ତ୍ରିପୁରା ପାଇଁ ଜାନୁଆରି ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜାନୁଆରି ୩୦ ତାରିଖ ଓ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରି ୨ ।
୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି କ୍ଷମତାରେ ଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ବିଜେପି ମିଳିତ ଭାବେ କ୍ଷମତାରେ ରହିଛି। ନାଗାଲାଣ୍ଡ ଓ ମେଘାଳୟର ୬୦ଟି ଲେଖାଏଁ ଆସନ ପାଇଁ  ତାରିଖ ଘୋଷଣା ହୋଇଥିବାରୁ ରାଜନୀତି ଜୋର ଧରିଛି । ପ୍ରତି ଦଳ ଅନେକ ଦିନରୁ ପ୍ରଚାର ଆରମ୍ଭ କରିଥିବା ବେଳେ ଏବେ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି ।