ନିର୍ବାଚନୀ ଇସ୍ତାହାରରେ ରାଜ୍ୟ କଂଗ୍ରେସ ଦେଲା ୯ ଗ୍ୟାରେଣ୍ଟି
ରାଜ୍ୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଭାଜପାକୁ ଚେକ୍ ଦେବାକୁ ୯ ଗ୍ୟାରେଣ୍ଟି ଦେଇଛି ଦଳ। ବିଶେଷକରି ମହିଳା, କୃଷକ, ଯୁବଗୋଷ୍ଠୀ, ଏସ୍ଏଚ୍ଜି ଉପରେ ଦଳ ଫୋକସ୍ କରିଛି। ଇସ୍ତାହାର ଅନୁଯାୟୀ, ବୋନସ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହଜାର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରୀଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ସହ ଅନ୍ୟ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। ଏହାଛଡ଼ା ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରସ୍ତ, ୫ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ୨୦୦ ୟୁନିଟ୍ ବିଦ୍ୟୁତ ଦେୟ ଛାଡ଼ ଆଦି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।
ତେବେ ଇସ୍ତାହାର ଘୋଷଣା ଅବସରରେ ବିଜେଡି ଓ ଭାଜପାକୁ ସମାଲୋଚନା କରିଛି କଂଗ୍ରେସ। ଓଡ଼ିଶାକୁ ଦାରିଦ୍ରତା ବୃଦ୍ଧି ଲାଗି ବିଜେଡି ଓ ଭାଜପା ସରକାର ଦାୟୀ ବୋଲି ଦଳ ଅଭିଯୋଗ କରିଛି।