ସମସ୍ତ ଲୋକସଭା ଆସନରେ ଏକାକୀ ଲଢିବ ଟିଏମସି: କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦେଲେ ମମତା ବାନାର୍ଜୀ!
ପଶ୍ଚିମବଙ୍ଗରେ ଫେଲ ମାରିଛି ‘ଇଣ୍ଡିଆ’ ମେଂଟ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇପାରିନାହିଁ । ଫଳରେ ଆଜି ଏକତରଫା ଭାବେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଗଡ଼ କୁହାଯାଉଥିବା ବହରାମପୁର ଆସନରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳ ଟିକେଟ୍ ଦେଇଛି । ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଂଜନ ଚୌଧୁରୀଙ୍କ ବିରୋଧରେ ଲଢିବେ । ତେବେ ଦିନେ ଓଡିଆ ଫିଲ୍ମରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ମମତା ।ଗତବର୍ଷ ଜୁଲାଇ ୧୮ରେ ବେଙ୍ଗାଳୁରୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଗୋଟିଏ ମଂଚରେ ବସି ମୋଦୀ ବିରୋଧୀ ଇଣ୍ଡିଆ ମେଂଟର ମୂଳଦୁଆ ପକାଇଥିଲେ ମମତା ବାନାର୍ଜୀ । ହେଲେ ମାତ୍ର ୭ ମାସ ପରେ ଟିଏମସି ମୁଖ୍ୟଙ୍କ ବଦଳି ଯାଇଛି ଆଭିମୁଖ୍ୟ । କଂଗ୍ରେସ ବିରୋଧରେ ଲୋକସଭା ନିର୍ବାଚନ ଲଢିବାକୁ ପ୍ରାର୍ଥୀ ଦେଇଛନ୍ତି ଦିଦି । କଂଗ୍ରେସର ଗଡ଼ କୁହାଯାଉଥିବା ବହରାମପୁର ଆସନରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ଦଳ ଟିକେଟ୍ ଦେବ ବୋଲି ଘୋଷଣା କରିଛି । ୨୦୧୯ରେ ଏହି ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଆସନରେ ବସିଥିଲେ ଅଧିର ରଞ୍ଜନ ଚୌଧୁରୀ ।