ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି

”ମୋ ଇସ୍ତଫା ଓ ଉପନିର୍ବାଚନ ଗୁଜବ । ଯାଜପୁରରେ ଉପନିର୍ବାଚନ କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଏହା ସତ ନୁହେଁ। ଯାହା ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି, ତାହା କ’ଣ ସତ କି? ମୋତେ ଯିଏ ଟିକେଟ ଦେଇଛନ୍ତି, ଯାହାଙ୍କ ପାଇଁ ଆଜି ଏ ଜାଗାରେ ପହଞ୍ଚିଛି, ତାଙ୍କ ପାଖରୁ ଏହି ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ। ମୁଁ ମଧ୍ୟ ସେମିତି କିଛି କହିନାହିଁ। ଏପରିକି ମୋ ନେତା ଉପନିର୍ବାଚନ ନେଇ କିଛି କହିନାହାନ୍ତି। ତେଣୁ ଯାହା ସବୁ ଆଲୋଚନା ହେଉଛି, ତାହା ମିଛ” ବୋଲି କହିଛନ୍ତି ବିଧାୟିକା ସୁଜାତା ସାହୁ କହିଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ବୟାନ ପରେ ଯାଜପୁର ସଦର ବିଧାୟକ ସୁଜାତା ସାହୁଙ୍କ ଇସ୍ତଫା ଓ ଉପନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସୁଜାତା ସାହୁ। ଆଉ ସବୁ ଦୋଷ ଗଣମାଧ୍ୟମକୁ ଠେଲିଛନ୍ତି। କହିଛନ୍ତି, ଯାହା ଆଲୋଚନା ଓ ଚର୍ଚ୍ଚା ହେଉଛି ସବୁ ଗଣମାଧ୍ୟମରେ। ହେଲେ ଇସ୍ତଫା ଓ ଉପନିର୍ବାଚନ ନେଇ ମୁଁ କିଛି କହିନି କି ମୋ’ ନେତା କହିନାହାନ୍ତି  ।

ସେ ଆହୁରି କହିଛନ୍ତି, ବିଜେଡି ସବୁବେଳେ ମାଆମାନଙ୍କୁ ସମ୍ମାନ ଦେଇଆସିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତେ ମିଶନ ଶକ୍ତି ମାଆ ହିସାବରେ ଟିକେଟ ଦେଇଥିଲେ। ଲଢ଼ିବା ପାଇଁ ସୁଯୋଗ ଦେଇଥିଲେ। ମୁଁ ଯାଜପୁର ପାଇଁ ଲଢ଼ିଛି। ଏଥିରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ସହଯୋଗ ଓ ସମର୍ଥନ ରହିଛି। ଏକଥା ସମସ୍ତେ ଜାଣିଛନ୍ତି। ସିଏ କ୍ଷମତାଲୋଭୀ ନୁହଁନ୍ତି ବୋଲି ସୁଜାତା କହିଛନ୍ତି।

ବିଜେଡିର ପଦଯାତ୍ରାରେ ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ। କର୍ମୀଙ୍କୁ ଉଦ୍‌ବୋଧନ ଦେଇ ପୁଣି ଥରେ ନିର୍ବାଚନ ଲଢିବା ଲାଗି ରାଜିଥିବା କହିଥିଲେ। ସେ ଆହୁରି କହିଥିଲେ, ମାଆମାନଙ୍କ ଶକ୍ତି, ଭାଇ ଓ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁ ଆଜି ମୋ ଯାଜପୁରରେ ବିକାଶ ହୋଇଛି। ହେଲେ ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଯାଜପୁରର ବିକାଶକୁ ବନ୍ଦ କରିଦେବେ। ଯାଜପୁରରେ ମେଡ଼ିକାଲ୍‌ କଲେଜ ନହେଉ ବୋଲି କିଛି ନେତା କହୁଥିଲେ। ଯାହାର ଫଟୋ ଏବେ ଘୂରି ବୁଲୁଛି। ମୁଁ ସେମାନଙ୍କ ନାଁ କହିବି ନାହିଁ। କାରଣ ବିଜେପି ଚାହୁଁ ନାହିଁ ଯାଜପୁରରେ ବିକାଶ ହେଉ।