ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ଉତ୍ତର ରଖିଲେ ବିଜେଡିର ତିନି ବିଧାୟକ
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଧାୟକମାନଙ୍କୁ ବିଜେଡି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାର ଉତ୍ତର ରଖିଛନ୍ତି ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ ଓ ଚକ୍ରମଣୀ କହଁର । ସେମାନେ ଉତ୍ତରରେ ଲେଖିଛନ୍ତି କି, ଦଳ ଆମ ଉପରେ ଭିତ୍ତିହୀନ କାରଣ ଦର୍ଶାଅ ନୋଟିସ ଜାରି କରିଛି, ଏହା ବେଆଇନ ଓ ଦଳୀୟ ନେତୃତ୍ୱଙ୍କ ସ୍ୱେଚ୍ଛାଚାରିତା ବୋଲି ସେମାନେ କହିଛନ୍ତି । ଏହାସହ ସେମାନେ କହିଛନ୍ତି କି, ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଦଳର ନେତୃତ୍ୱ ସୀମା ଅତିକ୍ରମ କରିଛନ୍ତି । ଏହାସହ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ନେତୃତବ ଭାରତୀୟ ନ୍ୟାୟ ସଂହିତାର ଧାରା ଭାଙ୍ଗି ଦଣ୍ଡନୀୟ ଅପରାଧ କରିଛି ଦଳ । ୩ ବିଧାୟକ କହିଛନ୍ତି, ଆମେ କେବେ ବି ଦଳର ସଦସ୍ୟତା ପରିତ୍ୟାଗ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଆମେ ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଘଂନ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ । କାରଣ ଦର୍ଶାଅ ନୋଟିସ କେବ ବେଆଇନ, ମନମୁଖୀ ନୁହେଁ ବରଂ ଏହା ଆଇନ ପ୍ରକ୍ରିୟାରେ ସମ୍ବିଧାନର ଅପବ୍ୟବହାର ମଧ୍ୟ । ତେଣୁ ଆମେ ଅନୁରୋଧ କରୁଛୁ ଯେ ନୋଟିସ ପ୍ରତ୍ୟାହାର କରାଯାଉ, ନଚେତ ନୋଟିସ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଧ୍ୟହେବୁ