କଟକ ଜିଲ୍ଲାରେ ବିଜେପି ନିରାଶ, କଂଗ୍ରେସ ଖାତା ଖୋଲିଲାନି
ମେଟ୍ରୋ ଟିଭି ଓଡିଶା (୧ .୩ .୨୦୨୨) :
୨୦୧୭ ପରି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ପୁଣି କଟକ ଜିଲ୍ଲାରେ ବିଜୟ ଧ୍ୱଜା ଉଡାଇଛି। ଚଳିତ ନିର୍ବାଚନରେ ଶାସକ ଦଳ ବିରୋଧୀ ବିଜେପି ଓ କଂଗ୍ରେସକୁ ଜିଲ୍ଲାରୁ ଏକପ୍ରକାର ମୂଳପୋଛ କରିଦେଇଛି। ଗତଥର ନିର୍ବାଚନ ପରି କଂଗ୍ରେସ ମଧ୍ୟ ଏଥର ଖାତାଖୋଲିବାରେ ସଫଳ ହୋଇପାରିନାହିଁ। ବିଜେପି ଗତ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ଦୟନୀୟ ପ୍ରଦର୍ଶନ କରିଛି। ଦଳ ମାତ୍ର ଗୋଟିଏ ଆସନରେ ବିଜୟୀ ହେବାରେ ସଫଳ ହୋଇଥିବାବେଳେ ବଡମ୍ବା ନିର୍ବାଚନ ମଣ୍ଡଳୀର ୬ଟି ଜୋନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମଥର ପାଇଁ ଦଳ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଖାତା ଖୋଲିବାରେ ସକ୍ଷମ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦଳ ୩୨ନମ୍ବର ଜୋନରେ ବିଜୟ ହାସଲ କରି ସମ୍ମାନ ରଖିବାରେ କିଛିଟା ସମର୍ଥ ହୋଇଛି। ଜିଲାର ମୋଟ ୪୬ଟି ଜିଲ୍ଲା ପରିଷଦ ଜୋନରୁ ଶାସକ ବିଜେଡିର ୨୨ଜଣ ଜିଲା ପରିଷଦ ପ୍ରାର୍ଥୀ ବିଜୟ ହାସଲ କରିଥିବାବେଳେ ୨୩ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ପ୍ରାରମ୍ଭିକ ଗଣତିରୁ ଏହି ୨୩ଟି ଜୋନରେ ଦଳୀୟ ପ୍ରାର୍ଥୀମାନେ ବୃହତ ଭୋଟ ବ୍ୟବଧାନରେ ଆଗରେ ରହିଥିବାରୁ ସେମାନଙ୍କ ବିଜୟ ଏକପ୍ରକାର ନିଶ୍ଚିନ୍ତ ହେବା ଆଶା କରାଯାଉଛି।

୨୦୧୭ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି। ମୋଟ ୪୬ଟି ଜିଲା ପରିଷଦ ଜୋନରୁ ଶାସକ ବିଜେଡି ୩୭ଟି ଜୋନରେ ବିଜୟ ହାସଲ କରିଥିବାବେଳେ ବିଜେପି ୭ଟି ଜୋନରେ ବିଜୟୀ ହୋଇଥିଲା। ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ୬ଟି ଜୋନରୁ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଥିଲେ। ସେହିପରି କଟକ ସଦର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୭ରେ କଂଗ୍ରେସ ଗୋଟିଏ ହେଲେ ଜୋନରେ ବିଜୟୀ ହୋଇ ନ ଥିବାବେଳେ ଏକାଧିକ ପ୍ରାର୍ଥୀ ଅମାନତ ରଖିବାରେ ସମର୍ଥ ହୋଇପାରିନଥିଲେ।
୨୦୨୨ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ କୌଣସି ନେତା ନିର୍ବାଚନ ମଇଦାନକୁ ଓହ୍ଲାଇନଥିଲେ। ଦଳର ପ୍ରଚାର ମଧ୍ୟ ଠିକ୍ଭାବେ ହୋଇନଥିଲା। ବିଜେଡି ଉପଯୁକ୍ତ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକମାନେ ପ୍ରାର୍ଥୀ ମନୋନୟନ କରିବାଠାରୁ ଆରମ୍ଭକରି ପ୍ରଚାର ମଙ୍ଗ ମଧ୍ୟ ଧରିଥିଲେ। ଯାହା ଶାସକ ଦଳ ପ୍ରାର୍ଥୀଙ୍କୁ ସୁବିଧାରେ ରଖିଥିଲା। ଏଥର ୩ଦିନ ଧରି ଭୋଟ ଗଣତି ହୋଇଥିଲା। ପ୍ରଥମ ଦିନରୁ ହିଁ ବିଜେଡି ତାର ଦବଦବା ଜାହିର କରିଥିଲା। ଅଧିକାଂଶ ଜୋନରେ ଶାସକ ବିଜେଡି ପ୍ରାର୍ଥୀଙ୍କୁ ବିଜେପି ହିଁ କଡା ଟକ୍କର ଦେଇଥିଲେ। ଗୋଟିଏ ଦୁଇଟି ଆସନକୁ ଛାଡି ଦେଲେ ଅନ୍ୟ ସମସ୍ତ ଜୋନରେ କଂଗ୍ରେସ ପ୍ରାର୍ଥୀମାନେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ପ୍ରଥମ ଦିନରେ ୧୪ଟି ବ୍ଲକର ୧୪ଟି ଜୋନରେ ଭୋଟ ଗଣତି ହୋଇଥିଲା। ବାରଙ୍ଗ ବ୍ଲକର ୩୨ନମ୍ବର ଜୋନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ସେହିପରି ୨୭ରେ ଅନୁଷ୍ଠିତ ୧୪ଟି ଜୋନରେ ବିଜେପି କିମ୍ବା କଂଗ୍ରେସ ଖାତା ଖୋଲିବାରେ ସଫଳ ହୋଇପାରିନଥିଲା। ବିଜେଡି ସମସ୍ତ ଜୋନରେ ବିଜୟ ହାସଲ କରି ଜିଲା ପରିଷଦ ଗଠନ କରିବା ରାସ୍ତା ପରିଷ୍କାର ହୋଇଯାଇଛି। ୨୮ରେ ଅନୁଷ୍ଠିତ ୧୮ଟି ଜୋନରେ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀମାନେ ସେମାନଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବୃହତ୍ ବ୍ୟବଧାନରେ ଆଗରେ ରହିଛନ୍ତି। ତେଣୁ ଏହି ୧୮ଟି ଜୋନରେ ବିଜେଡିର ପଲା ଭାରି ରହିଛି।
୨୬ ଓ ୨୭ରେ ଅନୁଷ୍ଠିତ ଭୋଟ ଗଣତିରେ ଜିଲ୍ଲାର ୨୩ଟି ଜିଲା ପରିଷଦ ଜୋନର ଫଳାଫଳ ଘୋଷଣା ହୋଇଛି। ସେଥିରୁ ବିଜେଡି ୨୨ଟି ଜୋନ ହାତେଇ ଥିବାବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। ବିରୋଧୀ କଂଗ୍ରେସ ଖାତା ଖୋଲିପାରିନାହିଁ। ସାଲେପୁର ବ୍ଲକରେ ଅନୁଷ୍ଠିତ ୪ଟି ଜିଲ୍ଲା ପରିଷଦ ଜୋନକୁ ଶାସକ ବିଜେଡି କବ୍ଜାକୁ ନେଇଛି। ୨୦୧୨ରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ମୋଟ ୪୨ଟି ଜିଲ୍ଲାପରିଷଦ ଜୋନରୁ ୪୧ଟିରେ ବିଜୟୀ ହୋଇ ବିଜେଡି ଜିଲ୍ଲା ପରିଷଦ ଗଠନ କରିଥିଲା। ୨୦୧୭ରେ ଜୋନ ପୁନର୍ଗଠନ ହେବା ପରେ ଜିଲ୍ଲା ପରିଷଦ ଆସନ ସଂଖ୍ୟା ୪୨ରୁ ୪୬କୁ ବୃଦ୍ଧି ପାଇଥିଲା। ୪୬ଟି ଜୋନରୁ ବିଜେଡି ୩୭ଟି, ବିଜେପି ୮ଟି ଓ ଗୋଟିଏ ଜୋନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଜିଲ୍ଲା ପରିଷଦ ସଭାପତିଭାବେ ଜ୍ୟୋତିରେଖା ନାୟକ ନିର୍ବାଚିତ ହୋଇଥିଲେ।