ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିତିନ ଗଡକରୀ, ରାଜନାଥ ସିଂ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଉପସ୍ଥିତ ଥିଲେ। ବୈଠକ ପରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।
ଜଗଦୀପ ଧନଖଡଙ୍କର ଜନ୍ମ ରାଜସ୍ଥାନରେ 18 ମଇ 1951ରେ ହୋଇଥିଲା । ରାଜସ୍ଥାନର ଏକ ଛୋଟ ଗାଁ କିଥାନାରେ ଜନ୍ମଗ୍ରହଣ କରିଥିଲେ ଧନଖଡ। ସେ ଚିତ୍ତୋରଗଡର ସୈନିକ ସ୍କୁଲରୁ ତାଙ୍କ ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଜୟପୁରର ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ଧନଖଡ଼ ପ୍ରାଥମିକ ଶିକ୍ଷା କିଥାନା ଗ୍ରାମ ବିଦ୍ୟାଳୟରେ ଶେଷ କରିଥିଲେ।
ରାଜସ୍ଥାନର ଝୁନଝୁନ ଲୋକସଭା ଆସନରୁ ବିଜୟୀ ହୋଇ 1989-91 ପର୍ଯ୍ୟନ୍ତ ସାଂସଦ ଥିଲେ । 1993–98 ପର୍ଯ୍ୟନ୍ତ ରାଜସ୍ଥାନର କିଶାନଗଡରୁ ବିଧାନସଭା ଜିତି ବିଧାୟକ ଥିଲେ । ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ମଧ୍ୟ ଥିଲେ। 30 ଜୁଲାଇ 2019 ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ।